ପୌର ନିର୍ବାଚନ ପୂର୍ବରୁ ପୁର୍ନଗଠନ! ବଦଳିପାରନ୍ତି ବିଜେଡି ମହିଳା ସଭାନେତ୍ରୀ, ପଢ଼ନ୍ତୁ କାହାକୁ ମିଳିପାରେ ନୂଆ ଦାୟିତ୍ୱ

ପୌର ନିର୍ବାଚନ ନିକଟତର ହେଉଥିବାରୁ ୩ଟି ଛାମୁଆ ସଂଗଠନରେ ଆମୁଳଚୂଳ ପରିବର୍ତ୍ତନ ନେଇ ଚାଲିଛି ଅଙ୍କକଷା ।

627

କନକ ବ୍ୟୁରୋ: ଖୁବଶୀଘ୍ର ସାଂଗଠନିକ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଯାଉଛି ବିଜେଡି । ମହିଳା ସଂଗଠନକୁ ଗତ କିଛିମାସ ପୂର୍ବେ ପୁର୍ନଗଠିନ କରିବା ସହ ନୂଆ ସଭାନେତ୍ରୀ ଏବଂ ଏକାଧିକ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତ କରିଥିଲେ ସୁପ୍ରିମୋ । ହେଲେ ଏହି ସଂଗଠନର କାର୍ଯ୍ୟଶୈଳୀ ମଧ୍ୟ ପ୍ରଭାବହୀନ ରହିଥିବା ଅନୁଭବ କରାଯାଇଛି । ତେଣୁ ନିର୍ବାଚନ ସରିଲା ପରେ ଏବେ ସଂଗଠନକୁ ତୃଣମୂଳ ସ୍ତରରେ ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି ବିଜେଡି। ଖୁବଶୀଘ୍ର ଛାତ୍ର, ଯୁବ ଓ ମହିଳା ସାଂଗଠନିକ କ୍ଷମତା କ୍ଷେତ୍ରରେ ପରିବର୍ତ୍ତନ କରିବ ବିଜେଡି ବୋଲି ଶୁଣିବାକୁ ମିଳୁଛି । ଏହି ପରିପ୍ରେକ୍ଷିରେ ରାଜ୍ୟ ବିଜେଡିର ବିଜୁ ମହିଳା ଜନତା ଦଳର ସାଂଗଠନିକ ଦାୟିତ୍ୱରେ ଥିବା ସଭାନେତ୍ରୀ ସିଟ୍ ପାଇଁ ଏବେ ଜୋରଦାର ଲବି କରାଯାଉଥିବା ଶୁଣିବାକୁ ମିଳୁଛି ।

କାରଣ ଚଳିତ ନିର୍ବାଚନରେ ପୁରୁଷ ଅପେକ୍ଷା ମହିଳା ଭୋଟ୍ ହାତେଇବାରେ ସକ୍ଷମ ହୋଇଛି ବିଜେଡି । ତେଣୁ ବିଜେଡି ପାଇଁ ସଂଜୀବନି ପାଲଟିଥିବା ମହିଳା ଭୋଟ୍ ହାତେଇବାରେ ଦଳର ମହିଳା ସଂଗଠନ କମାଲ କରି ଦେଖାଇଛନ୍ତି । ତେଣୁ ଦଳ ପାଇଁ କିଛି ହେଭିୱେଟ୍ ମହିଳା ନେତ୍ରୀ ଯେଉଁମାନେ ଟିକେଟ୍ ତାଲିକାରୁ ବାଦ୍ ପଡ଼ିଥିଲେ ସେମାନଙ୍କୁ ଥିଇଥାନ କରାଇବା ପାଇଁ ବିଜେଡି ସୁପ୍ରିମୋ ଉଦ୍ୟମ କରୁଥିବା ଶଙ୍ଖ ଶିବିରରେ ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ଦାୟିତ୍ୱରେ ଥିବା ମିନତୀ ବେହେରାଙ୍କ ସ୍ଥାନରେ ଆଉ ଜଣେ ମହିଳାନେତ୍ରୀଙ୍କୁ ମହିଳାଙ୍କ ସଂଗଠନର ମଙ୍ଗ ଧରାଇବାକୁ ଏବେ ଜୋରଦାର ପ୍ରୟାସ ଲାଗି ରହିଛି ।

ଏହି ରେସରେ ଅନେକ ମହିଳା ନେତ୍ରୀଙ୍କ ନାଁ ରହିଥିବାବେଳେ ଶ୍ରୀମୟୀ ମିଶ୍ରଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହିଛି । କାରଣ ମହିଳା ସମବାୟ ନିଗମର ଅଧ୍ୟକ୍ଷା ଭାବେ ବେଶ୍ ଉତ୍ତମ ଦାୟିତ୍ୱ ତୁଲାଉଛନ୍ତି । ସେହିଭଳି ବିଜେପୁର ଉପନିର୍ବାଚନ ବେଳେ ଶ୍ରୀମୟୀ ମହିଳା ଭୋଟ୍ ବ୍ୟାଙ୍କ ହାତେଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ଚଳିତ ନିର୍ବାଚନରେ ପାଟଣାଗଡ଼ ବିଧାନସଭା ଆସନ ପାଇଁ ଶ୍ରୀମୟୀ ନାଁ ମଧ୍ୟ ଶୁଣିବାକୁ ମିଳୁଥିଲେ ସୁଦ୍ଧା ସରୋଜ ମେହେରଙ୍କୁ ଦଳ ଟିକେଟ୍ ଦେଇଥିଲା । ହେଲେ ଏନେଇ ଶ୍ରୀମୟୀ ମନଉଣା ନକରି ଦଳ ପାଇଁ ପାଟଣାଗଡ଼ରେ ବିଜୟର ମୂଳ ଦୂଆ ପକାଇଥିଲେ ବୋଲି ଦଳରେ ଶୁଣିବାକୁ ମିଳୁଛି । ତେଣୁ କ୍ଷମତା କେନ୍ଦ୍ର ଶ୍ରୀମୟୀଙ୍କ ଉପରେ ଖୁସି ଥିବାରୁ ଏଥର ମହିଳା ସଂଗଠନ ଦାୟିତ୍ୱ ତାଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଦଳର ସବୁଠାରୁ ଆକ୍ଟିଭ୍ ମହିଳା ନେତ୍ରୀ ତଥା ମୁଖପାତ୍ର ସୁଲୋଚନା ଦାସ ମଧ୍ୟ ବିଜେଡି ମହିଳା ସଭାନେତ୍ରୀ ଦୌଡ଼ରେ ରହିଛନ୍ତି । କାରଣ ଚଳିତ ନିର୍ବାଚନରେ ବିରୋଧୀ ଦଳମାନେ ବିଭିନ୍ନ ଆରୋପ ଦଳ ଉପରେ ଲଦୁଥିବା ବେଳେ ଏହାକୁ ବେଶ୍ ସଠିକ୍ ଭାବେ ସାମ୍ନା କରିଥିବା ନଜର ଆସିଥିଲେ ସୁଲୋଚନା । ଏପରିକି ବିରୋଧୀ ଦଳର ସବୁ ଅଭିଯୋଗକୁ ଜବାବ୍ ଦେଇ ଦଳ ପାଇଁ ଏକ ସ୍ୱଭାବିକ ବାତାବରଣ ତିଆରି କରିବାରେ ସଫଳ ହୋଇଥିଲେ ସୁଲୋଚନା ବୋଲି ଶୁଣିବାକୁ ମିଳେ । ଆଉ ବରୀ ଟିକେଟ୍ ଦୌଡ଼ରେ ଥାଇ ମଧ୍ୟ ଦଳ ତାଙ୍କୁ ଏଥର ଟିକେଟରୁ ବଞ୍ଚିତ କରିଥିଲା । ହେଲେ ସେ ମନଉଣା ନକରି ଏକ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି । ଖୁବ୍ କମ୍ ଦିନ ମଧ୍ୟରେ ବିଜେଡିର କାର୍ଯ୍ୟକାରୀ ସଭାପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ପ୍ରଚାର ପ୍ରସାର ଖୁବ୍ ଭଲଭାବେ ତୁଲାଇଥିବା ଯୋଗୁଁ ଦଳପତି ତାଙ୍କୁ ମହିଳା ସଭାନେତ୍ରୀ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ଅନ୍ୟପଟେ କବିସୂର୍ଯ୍ୟନଗରର ବିଧାୟିକା ଲତିକା ପ୍ରଧାନଙ୍କ ନାଁ ମଧ୍ୟ ଏହି ରେସରେ ରହିଛି । କାରଣ ସମାଜ ମଙ୍ଗଳ ବୋର୍ଡରେ ପୂର୍ବରୁ ଦାୟିତ୍ୱ ତୁଲାଇଥିବା ଲତିକା ଚଳିତ ନିର୍ବାଚନରେ ବିଜୟୀ ହୋଇ ନବୀନଙ୍କ ମନ ଜିଣିଛନ୍ତି । ଆଉ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କୁ ମଧ୍ୟ ମହିଳା ସଭାନେତ୍ରୀ ପଦ ମିଳିପାରେ । ଆଉ ସବୁଠାରୁ ବଡ଼ କଥା ହେଲାକି, ଆଗକୁ ହୋବାକୁଥିବା ପାଟକୁରା ନିର୍ବାଚନକୁ ନେଇ ପାଟକୁରା ହେଉଥିବା ବୈଠକରେ ଖୁବ୍ କମ୍ ମହିଳା ନେତ୍ରୀଙ୍କୁ ଦେଖିବାକୁ ମିଳୁଥିବାବେଳେ ଲତିକାଙ୍କୁ ପାଟକୁରା ଜଗାଇଛନ୍ତି ବିଜେଡି ସୁପ୍ରିମୋ । ତେଣୁ ଲତିକାଙ୍କୁ ଖୁସି କରି ପୁରଷ୍କୃତ କରିପାରନ୍ତି ନବୀନ ବୋଲି ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ଆଗକୁ ପୌର ନିର୍ବାଚନ ନିକଟତର ହେଉଥିବାରୁ ୩ଟି ଛାମୁଆ ସଂଗଠନରେ ଆମୁଳଚୂଳ ପରିବର୍ତ୍ତନ ନେଇ ଚାଲିଛି ଅଙ୍କକଷା । ତେବେ ସାଗଠନିକ ଦକ୍ଷତା ନା ନିର୍ଦ୍ଦଷ୍ଟ ଗୋଷ୍ଠୀକୁ ମିଳିବ ପୁରଷ୍କାର ତାକୁ ନେଇ ଶଙ୍ଖ ଶିବିରରେ ଚାଲିଛି ଛକାପଞ୍ଝା । କାହାକୁ କେଉଁ ଦାୟିତ୍ୱରେ ବସାଇ କାହାକୁ କେମିତି ଥଇଥାନ୍ କରାଇବେ ସୁପ୍ରିମୋ ତାହା ଉପରେ ଏବେ ସମସ୍ତଙ୍କ ନଜର ।