‘ହିଜାବ’ପ୍ରସଙ୍ଗରେ ନିର୍ବାଚନୀ ସଭାରେ ମତ ରଖିଲେ ଯୋଗୀ ଆଦିତ୍ୟନାଥ, କହିଲେ ଏଭଳି କଥା

223

କନକ ବ୍ୟୁରୋ : ଏବେ ଦେଶରେ ହିଜାବକୁ ନେଇ ରାଜନୀତି ସରଗରମ ରହିଛି । କିଛି ରାଜନୈତିକ ଦଳ ହିଜାବକୁ ସମର୍ଥନ କରୁଥିବା ବେଳେ କିଛି ହିଜାବ ବିରୋଧରେ ମତ ରଖୁଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔରିଆ ଠାରେ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ କହିଛନ୍ତି କି ଦେଶ ସମ୍ବିଧାନକୁ ନେଇ ଚାଲିବ, ଦେଶରେ ସରିଆ ଆଇନ ଲାଗୁ ହେବାକୁ ଦିଆଯିବ ନାହିଁ । ଏହାସହ ପ୍ରତିଟି ସଂସ୍ଥାକୁ ନିଜର ଡ୍ରେସ କୋର୍ଡ ଚୟନ କରିବାର କ୍ଷମତା ଦିଆଯାଇଥିବା କଥା ଯୋଗୀ କହିଛନ୍ତି । ସମ୍ବିଧାନ ମୁତାବକ ବ୍ୟବସ୍ଥା ଚାଲିବ ବୋଲି ସେ ନିର୍ବାଚନୀ ସଭାରେ କହିଛନ୍ତି ।

କହିରଖୁ କି କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ବିବାଦ ଏବେ ସାରା ଦେଶକୁ ବ୍ୟାପିଛି । ଏହାକୁ ନେଇ କର୍ଣ୍ଣାଟକ ସରକାର ଓଡୁପି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ୧୪୪ ଧାରା ଲଗାଇଛନ୍ତି । ଅନ୍ୟପଟେ ଆଜି ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସି କହିଥିଲେ କି ସମୟ ଆସୁଛି ହିଜାବ ପିନ୍ଧିଥିବା ଜଣେ ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ । ଏହା ଉପରେ ପ୍ରତିକ୍ରିୟା ରଖି ବିହାର ବେଗୁସରାଇ ସାଂସଦ ଗିରିରାଜ ସିଂ କହିଛନ୍ତି କି କେବେ ବି ହିଜାବ ପିନ୍ଧିଥିବା ମହିଳାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦିଆଯିବ ନାହିଁ ।

ସେପଟେ ହିଜାବ ବିବାଦର ପେଣ୍ଠସ୍ଥଳୀ କର୍ଣ୍ଣାଟକର ଓଡୁପି ବିଧାୟକ ରଘୁପତି ଭଟ୍ଟ କହିଛନ୍ତି କି ହିଜାବ ବିବାଦ ପାକିସ୍ତାନର ଷଡଯନ୍ତ୍ର । ତେଣୁ ଏହା ଉପରେ ଏନଆଇଏ ଯାଂଚ କରାଇବାକୁ ସେ ଦାବି କରିଛନ୍ତି । ସେ କହିଥିଲେ କି ହିଜାବ ଉପରେ ବ୍ୟାନ ଲଗାଇବା ଉଚିତ ନୁହେଁ । କାରଣ ଏହା ସେମାନଙ୍କର ଧାର୍ମିକ ଅଧିକାର । ମାତ୍ର ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ନିୟମ ପାଳନ କରାଯିବା ଆବଶ୍ୟକ ।