ଦିପାବଳୀ ଦିନ ହେବ ଧମାଲ: ବିଶ୍ୱକପରେ ଦିପାବଳୀ ଦିନ ଏହି ଦଳକୁ ଭେଟିବ ଭାରତ 

447

କନକ ବ୍ୟୁରୋ: ପାଖେଇ ଆସୁଛି ୨୦୨୩ କ୍ରିକେଟ ବିଶ୍ୱକପ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହି ବିଶ୍ୱକପକୁ ଆୟୋଜନ କରିବାକୁ ଯାଉଛି ଭାରତ । ୫ ଅକ୍ଟୋବରରୁ ଆରମ୍ଭ ହୋଇ ନଭେମ୍ବର ୧୯ ଯାଏଁ ଚାଲିବ ବିଶ୍ୱକପ ମହାସମର । ଆଉ ଏହି ସମୟ ମଧ୍ୟରେ ଭାରତରେ ନବରାତ୍ରୀ, ଦଶହରା, ଦୀପାବଳି ଓ ଛଟ ପୂଜା ଭଳି ପର୍ବ ପଡିବ । ଯାହାର ପ୍ରଭାବ ମ୍ୟାଚ ଉପରେ ପଡିପାରେ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ମ୍ୟାଚ ସୂଚୀରେ ପରିବର୍ତ୍ତନ କରାଯାଇଛି । ଏହାପରେ ଭାରତ-ପାକିସ୍ତାନ ସମେତ ୯ ମ୍ୟାଚ ସୂଚୀ ବଦଳାଯାଇଛି ।

ମ୍ୟାଚ ସିଡ୍ୟୁଲ ପରିବର୍ତ୍ତନ ହେବା ପରେ ପାକିସ୍ତାନର ୩ଟି ଓ ଭାରତର ଗୋଟିଏ ମ୍ୟାଚ ତାରିଖକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଭାରତକୁ ନେଦରଲାଣ୍ଡ ବିପକ୍ଷରେ ନଭେମ୍ବର ୧୧ରେ ମ୍ୟାଚ ଖେଳିବାର ଥିଲା । ହେଲେ ସିଡ୍ୟୁଲ ପରିବର୍ତ୍ତନ ହେବା ପରେ ଏହି ମ୍ୟାଚ ଏବେ ନଭେମ୍ବର ୧୨ରେ ବାଙ୍ଗାଲୋରରେ ଖେଳାଯିବ । ଏହି ଦିନ ଭାରତରେ ଦିପାବଳୀ ମଧ୍ୟ ପାଳନ କରାଯିବ । ଆଉ ଭାରତ ଚାହିଁବ ଏହି ମ୍ୟାଚ ଜିତି ନିଜ ଫ୍ୟାନମାନଙ୍କୁ ଡବଲ ଖୁସି ଦେବାକୁ ।

ସେହିପରି ଆଇସିସି ପାକିସ୍ତାନର ୩ଟି ମ୍ୟାଚରେ ପରିବର୍ତ୍ତନ କରିଛି । ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ମ୍ୟାଚ ଖେଳିବାର ଥିଲା । ସିଡ୍ୟୁଲରେ ପରିବର୍ତ୍ତନ ହେବା ପରେ ଏହି ମ୍ୟାଚ ଏବେ ୧୫ ତାରିଖ ବଦଳରେ ୧୪ ତାରିଖରେ ସେହି ସ୍ଥାନରେ ଖେଳାଯିବ । ୧୫ ତାରିଖରେ ଭାରତରେ ନବରାତ୍ରୀର ପ୍ରଥମ ଦିନ ପଡୁଛି, ଏହି କାରଣରୁ ଏହି ମ୍ୟାଚର ତାରିଖରୁ ବଦଳାଯାଇଛି ।

ଏହାସହ ୧୨ ଅକ୍ଟୋବରରେ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚରେ ପରିବର୍ତ୍ତନ ହୋଇଛି । ଏହି ମ୍ୟାଚ ଅକ୍ଟୋବର ୧୨ ବଦଳରେ ଅକ୍ଟୋବର ୧୦ ତାରିଖରେ ହାଇଦ୍ରାବାଦରେ ଖେଳାଯିବ । ପାକିସ୍ତାନର ଆଉ ଏକ ମ୍ୟାଚ ଯାହା ଇଂଲଣ୍ଡ ବିପକ୍ଷରେ ନଭେମ୍ବର ୧୨ ତାରିଖରେ ହେବାର ଥିଲା ତାକୁ ନଭେମ୍ବର ୧୧କୁ ପରିବର୍ତ୍ତନ କରାଯାଇଛି । ଏହି ମ୍ୟାଚ କାଳୀପୂଜା କାରଣରୁ ବଦଳାଯାଇଥିବା ସୂଚନା ମିଳିଛି ।

୨୦୨୩ ବିଶ୍ୱକପ ଏଥର ଭାରତ ଆୟୋଜନ କରୁଥିବାରୁ ଦ୍ୱନ୍ଦ୍ୱରେ ରହିଥିଲା ପାକିସ୍ତାନ । ଭାରତରେ ଖେଳିବାକୁ ରାଜି ନଥିଲା ପାକିସ୍ତାନ ଦଳ । କାରଣ ଏସିଆ କପ ପାଇଁ ଭାରତ ପାକିସ୍ତାନ ନଯାଇ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । ଯେଉଁଥିପାଇଁ ବିଶ୍ୱକପ ଖେଳିବାକୁ ଭାରତ ନଆସିବାକୁ ଜିଦ ଧରିଥିଲା ପାକିସ୍ତାନ । ହେଲେ ଶେଷରେ ଜିଦରୁ ଓହରି ଭାରତ ଆସିବାକୁ ରାଜି ହୋଇଥିଲା ।

ସମୟ ଯେତିକି ପାଖେଇ ଆସୁଛି, ବିଶ୍ୱକପକୁ ନେଇ ଉତ୍କଣ୍ଠା ସେତିକି ବଢିଚାଲିଛି । ଏଥର ବିଶ୍ୱକପରେ ସମସ୍ତଙ୍କ ନଜରରେ ରହିବ ଭାରତ-ପାକିସ୍ତାନ ମ୍ୟାଚ । ଏହି ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ । ଅକ୍ଟୋବର ୧୪ରେ ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚକୁ ଫ୍ୟାନ ମାନେ ଚାତକ ଭଳି ଚାହିଁ ରହିଛନ୍ତି । ତେବେ ଦେଖିବା ବାକି ରହିଲା ଏହି ମ୍ୟାଚରେ କିଏ ମାରିବ ବାଜି?