କାଲି ତୃତୀୟ ଦିନିକିଆ ! ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସେପଟେ ନ୍ୟୁଜିଲାଣ୍ଡ ପାଇଁ ‘କର ବା ମର’ ପରିସ୍ଥିତି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ଜବରଦସ୍ତ ବିଜୟ ହାସଲ କରିବା ପରେ ତୃତୀୟ ଦିନିକିଆ ଜିତି ହାଟ୍ରିକ୍ ତଥା ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ । ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ଏବେ ୨-୦ରେ ଆଗୁଆ ରହିଛି । ଆଉ ଏବେ ବିରାଟ ବାହିନୀ ନ୍ୟୁଜିଲାଣ୍ଡକୁ ଆଉ ଏକ ମାତ୍ ଦେବା ସହ ସିରିଜ ଜିତିବା ଲକ୍ଷ୍ୟରେ ଆସନ୍ତାକାଲି ପଡିଆକୁ ଓହ୍ଲାଇବ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଯଦି ଭାରତ କାଲିର ମ୍ୟାଚ ଜିତିବ, ତେବେ ୨୦୧୪ରେ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ ପରାଜୟର ବଦଲା ନେବ ଟିମ୍ ଇଣ୍ଡିଆ । ଯାହାକି ଭାରତ ୦-୪ରେ ପରାଜିତ ହୋଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଦଳର ବାସନ୍ଦ ହୋଇଥିବା ଯୁବ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା କାଲି ମ୍ୟାଚରେ ପର୍ତ୍ତ୍ୟାବର୍ତ୍ତନ କରିପାରନ୍ତି ।
ସେପଟେ ନ୍ୟୁଜିଲାଣ୍ଡ ପାଇଁ କାଲିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଛି ଦଳ । ଯଦି ଆସନ୍ତାକାଲି ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡ ପରାସ୍ତ ହୁଏ ତେବେ ଦଳକୁ ସିରିଜ ହାତଛଡା କରିବାକୁ ହେବ । ଯେଉଁଥିପାଇଁ କାଲିର ମ୍ୟାଚ ନ୍ୟୁଜିଲାଣ୍ଡ ପାଇଁ ନିର୍ଣ୍ଣାୟକ ରହିବ । ତେବେ କାଲିର ମ୍ୟାଚ ନ୍ୟୁଜିଲାଣ୍ଡର ଓଭାଲ ପଡିଆରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ, ସକାଳ ୭ଟା ୩୦ ମିନିଟରେ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ସକାଳ ୭ଟାରେ ଟସ୍ ପଡିବ ।
ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ମହେନ୍ଦ୍ର ସିଂହ ଧୋନୀ (ଓି୍ୱକେଟ୍ ରକ୍ଷକ), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅମ୍ବାତି ରାଇଡୁ, ଶିଖର ଧୱନ, ଦିନେଶ କାର୍ତ୍ତିକ, ଶୁଭମାନ୍ ଗିଲ୍, ବିଜୟ ଶଙ୍କର, ଖଲିଲ୍ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ୍ ।