ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ରେଡ୍ : ଡୋନାଲ୍ଡ ଟ୍ରମ୍ପ କହିଲେ, ୨୦୨୪ ନିର୍ବାଚନ ନ ଲଢ଼ିବାକୁ କରାଯାଉଛି ଷଡ଼ଯନ୍ତ୍ର

183

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍ । ଫ୍ଲୋରିଡା ସ୍ଥିତ ଘର, ଫାର୍ମ ହାଉସ୍ ଓ ରିସୋର୍ଟରେ ରେଡ୍ କରାଯାଉଛି । ଏଫ୍ବିଆଇ ବା ଫେଡେରାଲ ବ୍ୟୁରୋ ଅଫ୍ ଇନଭେସଟିଗେସନ୍ ପକ୍ଷରୁ ରେଡ୍ କରାଯାଉଥିବା ନିଜେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ପାମ୍ ବିଚରେ ଥିବା ଘରକୁ ସିଜ୍ କରାଯାଇଛି । ରାଷ୍ଟ୍ରପତି ଭବନ ଛାଡିବା ସମୟରେ ହ୍ୱାଇଟ୍ ହାଉସ୍ରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଚଢାଉ କରାଯାଉଥିବା ଜଣାପଡ଼ିଛି ।

ତେବେ ଫ୍ଲୋରିଡା ଘରେ ଚଢାଉ ସମୟରେ ସେ ଘରେ ନଥିବା ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନଦେବାକୁ ଏହି ଚଢାଉ କରାଯାଉଛି । ଏହା ସହ ଟ୍ରମ୍ପ କହିଛନ୍ତି, ଏହା ଆମେରିକା ପାଇଁ କଳା ଦିନ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ପୂର୍ବରୁ କେବେ ହୋଇନଥିଲା । ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଥିଲେ ମଧ୍ୟ ରେଡ୍ କରାଯାଉଥିବା କହିଛନ୍ତି ।