କଲେଜ କୁଇନରୁ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଜୀବନ ଯାତ୍ରା, ଜାଣନ୍ତୁ ପ୍ରତିଭା ପାଟିଲଙ୍କ ସଂପର୍କରେ କିଛି ରୋଚକ କଥା

295

କନକ ବ୍ୟୁରୋ : ପ୍ରତିଭା ଦେବୀସିଂ ପାଟିଲଙ୍କ ନାମ ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ । ତାଙ୍କର ଅଧିକ କିଛି ପରିଚୟ ଦେବାର ଆବଶ୍ୟକତା ନାହିଁ । ପ୍ରତିଭା ପାଟିଲ ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ । ଆଜି ତାଙ୍କର ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବାବଦରେ କିଛି ରୋଚକ କଥା ।

ଟେବୁଲ ଟେନିସର ଜଣେ ସୁଦକ୍ଷ ଖେଳଳୀ ଥିବା ପ୍ରତିଭା ପାଟିଲ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପର୍ଯ୍ୟନ୍ତ ପହଂଚିପାରିଥିଲେ । ଭାରତୀୟ ମହିଳା ମାନଙ୍କ ପାଇଁ ସେ ନିଶ୍ଚିତ ଭାବେ ଏକ ପ୍ରେରଣା । ମହିଳାଙ୍କ ସଶକ୍ତିକରଣ କରିବା ଦିଗରେ ନିଜ ଜୀବନକୁ ଉତ୍ସଗ କରିଦେଇଥିବା ପ୍ରତିଭା ପାଟିଲ ମେକସିକୋରେ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

ପ୍ରତିଭା ପାଟିଲଙ୍କ ଜନ୍ମ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ୧୯୩୪ ମସିହା ଡିସେମ୍ବର ୧୯ ତାରିଖରେ ହୋଇଥିଲା । ତାଙ୍କ ବାପାଙ୍କ ନାମ ନାରାୟଣ ରାଓ ଓ ସେ ଜଣେ ରାଜନେତା ଥିଲେ । ପ୍ରତିଭାଙ୍କ ପ୍ରାରମ୍ଭିକ ଶିକ୍ଷା ଜଲଗାଓଁରେ ହୋଇଥିଲା । ସେଠାରେ ଥିବା ମୁଲଜୀ ଜେଠା କଲେଜରୁ ସେ ଗ୍ରାଜୁଏଟ ପାସ କରିଥିଲେ । ଏହାପରେ ସେ ମୁମ୍ବାଇର ସରକାରୀ ଆଇନ କଲେଜରେ ନାମ ଲେଖାଇଥିଲେ । ସେଠାରେ ସେ ପାଠ ପଢିବା ସହ ଜଣେ ସୁଦକ୍ଷ ଟେବୁଲ ଟେନିସ ଖେଳାଳୀ ଭାବେ ବେସ୍ ସୁନାମ ଅର୍ଜନ କରିଥିଲେ ।
ପ୍ରତିଭା ପାଟିଲ କଲେଜ ଜୀବନରୁ ସମାଜ ସେବାରେ ଲାଗିପଡିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ଜଣେ ସମାଜ ସେବିକା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ନିର୍ମଳ ସ୍ୱଭାବ ପାଇଁ ସେ ନିଜ କ୍ଷେତ୍ରରେ ବେସ୍ ପରିଚିତ ଥିଲେ । ଭାରତୀୟ ମହିଳାଙ୍କ ସ୍ଥିତିର ସୁଧାର ପାଇଁ ନିଜ ଜୀବନକୁ ଉତ୍ସଗ କରିଥିଲେ । ୨୭ ବର୍ଷ ବୟସରେ ସେ ରାଜନୀତିରେ ପାଦ ରଖିଥିଲେ । ମହାରାଷ୍ଟ୍ରର ଜଲଗାଓଁ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ସେ ଲଗାତର ୪ ଥର ମୁକ୍ତି ବିଧାନସଭା ଆସନରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ୧୯୬୭-୭୨ ମଧ୍ୟରେ ସେ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଓ ୧୯୭୨-୭୪ ମଧ୍ୟରେ ସମାଜ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

କେବଳ ସେତିକି ନୁହେଁ ୧୯୮୬ ରୁ ୧୯୮୮ ମଧ୍ୟରେ ସେ ରାଜ୍ୟସଭାର ଉପସଭାପତି ବି ଥିଲେ । ୧୯୯୧ ଲୋକସଭା ନିର୍ବାଚନରେ ସେ ଅମରାବତୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ଏହାପରେ ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ସେ ରାଜସ୍ଥାନର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୭ ରେ ୟୁପିଏ ସରକାର ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲେ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ଭୈରବ ସିଂ ଶେଖାୱତ । ପ୍ରତିଭା ପାଟିଲ ପାଖା ପାଖି ୩ ଲକ୍ଷ ଭୋଟରେ ତାଙ୍କୁ ପରାଜିତ କରିଥିଲେ । ୨୦୦୭ ଜୁଲାଇ ୨୫ ତାରିଖରେ ପ୍ରତିଭା ଦେବୀସିଂ ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ପଦଭାର ସମ୍ଭାଳିଥିଲେ ।