ମ୍ୟାଚ୍ ମଝିରେ ହଠାତ ହେଲା ବର୍ଷା । ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ମିଶି ପିଚ୍ କଭର କଲେ ମହିଳା ଖେଳାଳୀ । ଦେଖନ୍ତୁ ଭିଡିଓ ।

228

କନକ ବ୍ୟୁରୋ : ଆପଣ ଟିଭିରେ ଅନେକ ଇଣ୍ଟରନ୍ୟାସନାଲ କ୍ରିକେଟ୍ ମ୍ୟାଚ୍ ଦେଖିଥିବେ । ଯେତେବେଳେ ଖେଳ ମଝିରେ ବର୍ଷା ହୁଏ, ସେତେବେଳେ ସଙ୍ଗେ ସଙ୍ଗେ ଗ୍ରାଉଣ୍ଡ ଷ୍ଟାଫମାନେ ପିଚକୁ ଘୋଡାଇବା ପାଇଁ ଦୌଡିଯାଇଥାନ୍ତି । ତେବେ ଅଷ୍ଟ୍ରେଲିଆର ଏକ ଘରୋଇ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କ ମନ କିଣିନେଇଛି ।

ରବିବାର ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଭିକ୍ଟୋରିଆ ମହିଳା ଏବଂ ନ୍ୟୁ ସାଉଥ୍ ୱେଲ୍ସ ମହିଳା ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଉଥିଲା । ମ୍ୟାଚ୍ ମଝିରେ ହଠାତ୍ ବର୍ଷା ହେବା ଆରମ୍ଭ ହେଲା । ବର୍ଷା ଆରମ୍ଭ ହେବାରୁ ସଙ୍ଗେ ସଙ୍ଗେ ଗ୍ରାଉଣ୍ଡ ଷ୍ଟାଫ୍ ମାନେ କଭର ନେଇ ପଡିଆ ଭିତରକୁ ଆସିଯାଇଥିଲେ । ତେବେ ପବନର ବେଗ ଏତେ ଅଧିକ ଥିଲା ଯେ, ଗ୍ରାଉଣ୍ଡ ଷ୍ଟାଫମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପିଚକୁ ପୂରାପୁରି କଭର କରିପାରିନଥିଲେ ।

ଠିକ ଏହି ସମୟରେ ଗ୍ରାଉଣ୍ଡ ଷ୍ଟାଫଙ୍କୁ ସହଯୋଗର ହାତ ବଢାଇଥିଲେ ଉଭୟ ଦଳର ଖେଳାଳୀ । ଭିକ୍ଟୋରିଆ ମହିଳା ଦଳର କ୍ୟାପଟେନ୍ ଏଲିସେ ପେରୀ ଏବଂ ନ୍ୟୁ ସାଉଥ ୱେଲ୍ସ ଦଳର କିଛି ଖେଳାଳୀ ପଡିଆ ଭିତରେ ପିଚକୁ ଘୋଡାଇବାରେ ଗ୍ରାଉଣ୍ଡ ଷ୍ଟାଫଙ୍କୁ ସାହାଯ୍ୟ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ବେଶ ଭାଇରାଲ ହୋଇଥିବା ବେଳେ ଲୋକମାନେ ଏହି ଖେଳାଳୀଙ୍କର ପ୍ରଶଂସା କରିଛନ୍ତି ।