ବିଶ୍ୱର ସବୁଠୁ ନିଆରା ଜେଲ୍…କଏଦୀଙ୍କୁ ଦିଆଯାଏ ଫାଇଭ୍ ଷ୍ଟାର ହୋଟେଲ ଭଳି ରୁମ୍, ରହିଛି ଜିମ୍, ସ୍ପା ଭଳି ବିଳାଶପୂର୍ଣ୍ଣ ସୁବିଧା ।

257

କନକ ବ୍ୟୁରୋ : ଜେଲ୍…ଯେଉଁମାନେ କିଛି ଅପରାଧଜନିତ କାର୍ଯ୍ୟ କରନ୍ତି, ସେମାନଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ୍ ଭିତରେ ରଖାଯାଇଥାଏ । ଜେଲ୍ ଭିତରକୁ ନଯାଇଥିଲେ ମଧ୍ୟ, ବିଭିନ୍ନ ଫିଲ୍ମରେ ଜେଲ ଭିତରର କାଳ୍ପନିକ ଦୃଶ୍ୟ ହୁଏତ ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ । ଏହି ଜେଲର ନାଁ ଶୁଣିବା ମାତ୍ରେ, ଅନ୍ଧାର ବନ୍ଦ କୋଠରୀ, ବଡ ବଡ କାନ୍ଥ, ଖରାପ ଖାଦ୍ୟ ଭଳି ଜିନିଷ ଆପଣଙ୍କ ଆଖି ଆଗରେ ଆସିଯାଇଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜେଲ୍ କଥା କହିବୁ, ଯେଉଁଠି କଏଦୀମାନଙ୍କୁ ମିଳିଥାଏ ବିଳାଶପୂର୍ଣ୍ଣ ସୁବିଧା । ଏପରିକି ଏହି ଜେଲ୍ ତୁଳନାରେ ହୁଏତ ଫାଇଭ୍ ଷ୍ଟାର ହୋଟେଲ ମଧ୍ୟ ପଛରେ ପଡିଯିବ । ପ୍ରଥମେ ସେମିତି କିଛି ଜେଲର ଫଟୋ ଦେଖିନିଅନ୍ତୁ ।

ଜର୍ମାନୀରେ ଥିବା ଏହି ଜେଲରେ ରହୁଥିବା କଏଦୀମାନଙ୍କୁ, ବ୍ୟକ୍ତିଗତ ରୁମ୍, ବେଡ୍, ବାଥରୁମର ସୁବିଧା ଦିଆଯାଇଥାଏ । ଏପରିକି ଏହି ଜେଲରେ ବନ୍ଦୀମାନଙ୍କୁ ଲଣ୍ଡ୍ରି ମେସିନ୍ ଏବଂ କନଫରେନ୍ସ ରୁମ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଏ ।

ଏହି ଜେଲଟି ଅଷ୍ଟ୍ରିଆର ପାର୍ବତ୍ୟ ଅଞ୍ଚଳ ଲିଓବେନରେ ଅବସ୍ଥିତ । ଏକ ଫାଇଭ ଷ୍ଟାର ହୋଟେଲରେ ଆପଣଙ୍କୁ ଯେଉଁଭଳି ସୁବିଧା ମିଳିଥାଏ, ଏହି ଜେଲରେ ମଧ୍ୟ କଏଦୀମାନଙ୍କୁ ସେହି ସୁବିଧା ଦିଆଯାଇଥାଏ । ଏପରିକି କଏଦୀମାନେ ଏଠାରେ ଜିମ୍, ସ୍ପା ଭଳି ବିଳାଶପୂର୍ଣ୍ଣ ସୁବିଧା ପାଇଥାନ୍ତି । ଏହାଛଡା ବନ୍ଦୀମାନେ ଏଠାରେ ଇନଡୋର ଗେମ୍ ମଧ୍ୟ ଖେଳିବାର ସୁବିଧା ପାଆନ୍ତି ।

କଏଦୀମାନଙ୍କୁ ସୁଧାରିବା ପାଇଁ ସ୍କଟଲ୍ୟାଣ୍ଡର ଏହି ଏଚଏମପି ଜେଲରେ ରହୁଥିବା ସବୁ ବନ୍ଦୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯାଏ । ଏପରିକି ଏଠାରେ କଏଦୀମାନଙ୍କୁ ୪୦ ସପ୍ତାହ ପର୍ଯ୍ୟନ୍ତ ଉତ୍ପାଦନ କୌଶଳତା ଉପରେ ଟ୍ରେନିଂ ମଧ୍ୟ ଦିଆଯାଏ । ଯେପରିକି ସେମାନେ ଜେଲରୁ ବାହାରିବା ପରେ ଭଲ କାମ ଏବଂ ଆରାମଦାୟକ ଜୀବନ ଜିଇଁପାରିବେ ।

ସ୍ୱିଜରଲ୍ୟାଣ୍ଡରେ ଅବସ୍ଥିତ ଚ୍ୟାମ୍ପ-ଡଲନ୍ ନାମକ ଏହି ଜେଲ ଦିନେ ବହୁ ସଂଖ୍ୟକ କଏଦୀଙ୍କ ପାଇଁ ବଦନାମ ଥିଲା । କିନ୍ତୁ ଆଜି ଏଠାରେ କଏଦୀମାନଙ୍କୁ ହୋଟେଲ ଭଳି ସୁବିଧା ଦିଆଯାଉଛି । ହୋଟେଲ ଭଳି ରୁମ୍, ଶୋଇବା ପାଇଁ ଭଲ ଆରାମଦାୟକ ଗଦି ମଧ୍ୟ କଏଦୀମାନଙ୍କୁ ଯୋଗାଇ ଦିଆଯାଏ ।

ନ୍ୟୁଜିଲାଣ୍ଡରେ ଅବସ୍ଥିତ ଏହି କାରାଗାରରେ କଏଦୀମାନଙ୍କୁ ସମସ୍ତ ସୁବିଧା ସହ ସେମାନଙ୍କୁ ଚାଷ, ଲାଇଟ୍ ଇଞ୍ଜିନିୟରିଂ, ରୋଷେଇ ଭଳି କାର୍ଯ୍ୟରେ ଦକ୍ଷ କରିବା ପାଇଁ ଏହି ଜେଲରେ ଟ୍ରେନିଂ ମଧ୍ୟ ଦିଆଯାଏ ।

ତେବେ ଜେଲ୍ ଗୁଡିକରେ ଏଭଳି ସୁବିଧା କରାଇବାର ଉଦ୍ଦେଶ୍ୟ ହେଉଛି, କଏଦୀମାନଙ୍କୁ ସୁଧାରିବା । ଯେପରିକି ସେମାନେ ଜେଲରୁ ବାହାରିବା ପରେ ଆଉ ଅପରାଧ ଦୁନିଆରେ ପାଦ ନଦେଇ, ଭଲ ମଣିଷ ହେବାକୁ ଚେଷ୍ଟା କରିବେ ।