ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭାରେ ବଳ କଷିବ ବିରୋଧୀ ଇଣ୍ଡିଆ ମେଂଟ: ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ରାଲି

127

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ବିରୋଧ ମେଂଟ ଇଣ୍ଡିଆର ନଜର । ଏଥିପାଇଁ ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ର୍ୟାଲି ହେବ । ଏହି ରାଲି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହେବ । ଦିଲ୍ଲୀରେ ଇଣ୍ଡିଆ ମେଂଟର ସମନ୍ୱୟ ବୈଠକରେ ଏହି ନିଷ୍ପତି ହୋଇଛି । ଅର୍ଥାତ ଏଥିରୁ ସ୍ପଷ୍ଟ ଯେ, ପ୍ରଥମ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରିଛି ଇଣ୍ଡିଆ ମେଂଟ । ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ଦିଲ୍ଲୀ ଘରେ ଏହି ବୈଠକ ବସିଥିଲା । ଏଥିରେ ଆସନ ଭାଗବଂଟା ନେଇ ଆଲୋଚନା ହୋଇଛି । ବୈଠକ ପରେ ଇଣ୍ଡିଆ ମେଂଟ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ବୈଠକରେ ୧୨ଟି ଦଳର ପ୍ରତିନିଧି ସାମିଲ ହୋଇଥିଲେ । କମିଟି ଆସନ ଭାଗବଂଟା ନେଇ ଆଲୋଚନା ଆରମ୍ଭ କରିଦେଇଛି । ଆଲୋଚନା କରାଯାଇ ଖୁବଶୀଘ୍ର ଏ ବାବଦରେ ନିଷ୍ପତି ନିଆଯିବ । ଆଜିର ବୈଠକରେ ଟିଏମସି ସାମିଲ ହୋଇନଥିଲା । ଟିଏମସି ନେତା ଅଭିଷେକ ବାନାର୍ଜୀ ସମନ୍ୱୟ ସମିତିର ସଦସ୍ୟ ଥିଲେ । ତେବେ ଇଡି ଆଗରେ ଆଜି ହାଜର ହୋଇଥିବାରୁ ସେ ବୈଠକରେ ସାମିଲ ହୋଇପାରିନାହାନ୍ତି । ଶରଦ ପାୱାରଙ୍କ ଘରେ ବସିଥିବା ବୈଠକରେ କଂଗ୍ରେସ, ଡିଏମକେ, ଆରଜେଡି, ଜେଡିୟୁ, ସମାଜବାଦୀ ପାର୍ଟି, ପିଡିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ନ୍ୟାସନାଲ କନଫରେନ୍ସ ପ୍ରମୁଖ ସାମିଲ ହୋଇଥିଲେ ।

ଆସନ୍ତୁ ଜାଣିବା ଆଜିର ଇଣ୍ଡିଆ ସମନ୍ୱୟ କମିଟି ବୈଠକରେ କି ନିଷ୍ପତି ହେଲା
-ଆସନ ଭାଗବଂଟା ନେଇ ପ୍ରାଥମିକ ଆଲୋଚନା ଆରମ୍ଭ
-ଖୁବଶୀଘ୍ର ସବୁ ଦଳ ଆଲୋଚନା କରି ଏ ବାବଦରେ ନିଷ୍ପତ୍ତି ନେବେ
-ଦେଶର ବିଭିନ୍ନ ଭାଗରେ ର୍ୟାଲି କରିବ ଇଣ୍ଡିଆ ମେଂଟ
-ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶ ଭୋପାଳରେ ର୍ୟାଲି
-ଦରବୃଦ୍ଧି, ବେକାରୀ ଓ ଦୁର୍ନୀତିକୁ ପ୍ରସଙ୍ଗ କରି ବିଜେପିକୁ ଘେରିବ ମେଂଟ
-ଜାତି ଜନଗଣନାକୁ ମେଂଟର ସବୁ ଦଳ ସମର୍ଥନ କରିବେ