ପାକିସ୍ତାନରେ ଭୟଙ୍କର ସ୍ଥିତି, ମିଳୁନି ମାମୁଲି ମୁଣ୍ଡବିନ୍ଧା ଔଷଧ ଡିସପ୍ରିନ। ଜରୁରୀ ଔଷଧ ଅଭାବରୁ ବନ୍ଦ ରହିଛି ଅପରେସନ।

157

କନକ ବ୍ୟୁରୋ: ଆଜିକୁ ପ୍ରାୟ ୫୦ ବର୍ଷ ତଳେ ପାକିସ୍ତାନର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲ୍ଲୀ ଭୁଟ୍ଟୋ ଥରେ କହିଥିଲେ, ଦରକାର ପଡ଼ିଲେ ପାକିସ୍ତାନ ଲୋକ ଭୋକରେ ରହିଯିବେ, ଆବଶ୍ୟକ ପଡ଼ିଲେ ଘାସ ଖାଇଯିବେ କିନ୍ତୁ ପାକିସ୍ତାନକୁ ଦରକାର ପରମାଣୁ ବୋମା । ୫୦ ବର୍ଷ ପରେ ପାକିସ୍ତାନର ସ୍ଥିତି ଦେଖନ୍ତୁ- ପାକିସ୍ତାନ ହାତରେ ପରମାଣୁ ବୋମା ଅଛି । ସଂଖ୍ୟା ଦୃଷ୍ଟିରୁ ଭାରତଠାରୁ ପାକିସ୍ତାନ ପାଖରେ ଅଧିକ ପରମାଣୁ ବୋମା ଅଛି । ହେଲେ ଦୁର୍ଭାଗ୍ୟ ଦେଖନ୍ତୁ ଦୁଇ ଓଳି ଖାଇବାକୁ ହାହାକାର ହେଉଛନ୍ତି ପାକିସ୍ତାନର ନିରୀହ ଜନତା । ଖାଦ୍ୟ ସଙ୍କଟର ମାରାମାରି ଭିତରେ ପାକିସ୍ତାନରେ ଏକ ନୂଆ ସମସ୍ୟା ଦେଖାଦେଇଛି । ଡାକ୍ତରଖାନାଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଖାଦେଇଛି । ଡାକ୍ତରଖାନାରେ ମୁଣ୍ଡବିନ୍ଧା ପାଇଁ ଡିସପ୍ରିନ, ଇନସୁଲିନ ଓ ଅନ୍ୟ ଜରୁରୀ ଔଷଧ ଏବେ ମିଳୁନାହିଁ ।

ଦେଖାଦେଇଥିବା ସାମ୍ପ୍ରତିକ ସଙ୍କଟ ଯୋଗୁଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି ଏବଂ ଏହି କାରଣରୁ ପଡୋଶୀ ଦେଶ ବିଦେଶରୁ ଅତ୍ୟାବଶ୍ୟକ ଔଷଧ ଆମଦାନୀ କରିବାରେ ସକ୍ଷମ ହୋଇପାରୁନି ପାକିସ୍ତାନ । କେବଳ ଏତିକି ନୁହେଁ, ଘରୋଇ ଉତ୍ପାଦନ ପାଇଁ ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ନୁହେଁ ।

ରିପୋର୍ଟ ଅନୁଯାୟୀ, ଅନେକ ଘରୋଇ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଔଷଧ ଉତ୍ପାଦନ ବନ୍ଦ କରିଦେଇଛନ୍ତି ଏବଂ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଅବସ୍ଥା ଖରାପ ରହିଛି । ଏହି କାରଣରୁ ଡାକ୍ତରମାନଙ୍କୁ ନିର୍ଦ୍ଧାରିତ ଅସ୍ତ୍ରୋପଚାର ମଧ୍ୟ ସ୍ଥଗିତ ରଖିବାକୁ ପଡିଛି । ଆବଶ୍ୟକ ଔଷଧ ଏବଂ ଯନ୍ତ୍ରପାତି ଅଭାବରୁ ସେମାନେ ରୋଗୀମାନଙ୍କ ଉପରେ ଅପରେସନ୍ କରିପାରୁନାହାନ୍ତି । ହାର୍ଟ, କିଡନୀ ଏବଂ କ୍ୟାନସର ଅପରେସନ୍ ଭଳି ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆନାସଥେଟିକ ଆବଶ୍ୟକ ରହିଛି । ଯାହା ଶେଷ ହେବାକୁ ଆଉ ଦୁଇ ସପ୍ତାହ ବାକି ରହିଛି । ଆମଦାନୀ ଉପରେ ପାକିସ୍ତାନର ଔଷଧ ବଜାର ସମ୍ପୂର୍ଣ୍ଣ ନିର୍ଭରଶୀଳ । ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲର ୯୫%ଆମଦାନୀ ହୋଇଥାଏ । ଭାରତ-ଚୀନ୍ ସମେତ ଅନ୍ୟ ଦେଶରୁ ପାକିସ୍ତାନ ଅତ୍ୟାବଶ୍ୟକ କଞ୍ଚାମାଲ ଆମଦାନୀ କରିଥାଏ । ଏବେ ଆମଦାନୀ ବନ୍ଦ ହେତୁ ଏଠାରେ ଚିକିତ୍ସା ମଧ୍ୟ ମହଙ୍ଗା ହୋଇପାରେ । ଡ୍ରଗ୍ ଉତ୍ପାଦନ ଶିଳ୍ପଗୁଡିକ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି କଞ୍ଚାମାଲ ଶୀଘ୍ର ଆମଦାନୀ ନହେବ, ତେବେ ଏଠାରେ ଔଷଧର ମୂଲ୍ୟ ବୃଦ୍ଧି ନିଶ୍ଚିତ ହେବ ।