ଇମ୍ରାନ୍ ଖାନଙ୍କ ଗିରଫ ପରେ ବଢ଼ୁଛି ପ୍ରତିବାଦ : ରାୱାଲପିଣ୍ଡି ସ୍ଥିତ ସେନା ଅଧିକାରୀଙ୍କ ଘରୁ ଖାଦ୍ୟ ସାମଗ୍ରୀ ଲୁଟିଲେ ସମର୍ଥକ

125

କନକ ବ୍ୟୁରୋ : ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହେଉଛି । ରାୱଲପିଣ୍ଡିରେ ସେନା ଘରେ ପଶି ଭାଙ୍ଗିବା ସହ ଜଳାପୋଡ଼ା କରିଛନ୍ତି । ଏହାସହ ରାୱାଲପିଣ୍ଡି ସ୍ଥିତ ସେନା ଅଧିକାରୀଙ୍କ ଘରୁ ଖାଦ୍ୟ ସାମଗ୍ରୀ ଲୁଟିଛନ୍ତି ଇମ୍ରାନଙ୍କ ସମର୍ଥକ ।

ଗତକାଲି ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ତେଜୁଛି ପ୍ରତିବାଦର ନିଆଁ । ରାସ୍ତାକୁ ଓହ୍ଳାଇ ଜୋରଦାର ପ୍ରତିବାଦ କରୁଛନ୍ତି ଇମ୍ରାନ ସମର୍ଥକ । ଇମ୍ରାନ ଖାନଙ୍କ ସମର୍ଥନରେ ପ୍ରତିବାଦ କେବଳ ଦେଶରେ ସୀମିତ ହୋଇ ରହିନାହିଁ । ବିଭିନ୍ନ ଦେଶରେ ଥିବା ଇମ୍ରାନଙ୍କ ସମର୍ଥକ ମାନେ ରାସ୍ତାକୁ ଓହ୍ଳାଇ ଜୋରଦାର ପ୍ରତିବାଦ କରୁଛନ୍ତି ।

ଇମ୍ରାନଙ୍କୁ ମୁକ୍ତ କରିବା ଦାବିରେ ପ୍ରତିବାଦ ଜାରି ରଖିଛନ୍ତି । ଆମେରିକା, ଇଂଲଣ୍ଡ ଓ କାନାଡାର ବିଭିନ୍ନ ସହରରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । କାଲିଫର୍ଣ୍ଣିଆ, ଫ୍ରେମଂଟ, ଲଣ୍ଡନ ଓ ୱାସିଂଟନରେ ଥିବା ଇମ୍ରାନ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ସେଭ୍ ପାକିସ୍ତାନ ଓ ସେଭ୍ ଇମ୍ରାନ ଭଳି ନାରା ଦେଇଛନ୍ତି ।