ଇମ୍ରାନ ଖାନଙ୍କ ଗିରଫ ପରେ ଅଶାନ୍ତ ପାକିସ୍ତାନ । ରାଜ୍ୟପାଳ ଭବନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ, ୬ ମୃତ

164

କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଏବେ ପୁରା ପାକିସ୍ତାନ ଅଶାନ୍ତ ହୋଇ ପଡିଛି । ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନଙ୍କ ସମର୍ଥକମାନେ ହିଂସା କରିବାରେ ଲାଗିଛନ୍ତି । ପେଶାୱର, ଇସଲାମାବାଦ, ଲାହୋର, କରାଚି ଓ ରାୱଲପିଣ୍ଡ ସମତେ ଦେଶର ବିଭିନ୍ନ ଭାଗରେ ଇମ୍ରାନଙ୍କ ସମର୍ଥକମାନେ ଭଙ୍ଗାରୁଜା କରିବା ସହ କିଛି ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି । ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ପ୍ରଶାସନ ତରଫରୁ ଇସଲାମାବାଦରେ ରେଡ ଆଲର୍ଟ ଜାରି କରାଯାଇଛି । ବୈଦେଶିକ ଦୂତାବାସରେ ରହୁଥିବା କର୍ମଚାରୀମାନଙ୍କୁ ବାହାରକୁ ନବାହରିବା ପାଇଁ ପରାମର୍ଶ ଦିଆଯାଇଛି । ଇମ୍ରାନଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ମଙ୍ଗଳବାର ରାତିରେ ରାୱଲପିଣ୍ଡିରେ ଥିବା ସେନାର ମୁଖ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଏହାସହ ଲାହୋର ଠାରେ ଥିବା ରାଜ୍ୟପାଳଙ୍କ ଭବନରେ ମଧ୍ୟ ଇମ୍ରାନଙ୍କ ସମର୍ଥକମାନେ ନିଆଁ ଲଗାଇ ଦେଇଥିଲେ । କେବଳ ରାଜ୍ୟପାଳଙ୍କ ଭବନ ନୁହେଁ ଏହାସହ ଜଣେ କମାଣ୍ଡରଙ୍କ ଘରେ ନିଆଁ ଲଗାଇଦେବା ସହ କିଛି ସେନା ଅଫିସରଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ।

ଅନ୍ୟପଟେ ପାକିସ୍ତାନ ଗଣମାଧ୍ୟମ ‘ଦ ଡନ’ ମୁତାବକ ହିଂସାକୁ ଆୟତ କରିବାକୁ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ପୁରା ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ଏହାସହ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ୨ ଦିନ ବନ୍ଦ ରଖାଯିବା ନେଇ ଘୋଷଣା କରାଯାଇଛି । କିଛି ସହରରେ ଶାନ୍ତି ରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ଓ ରେଞ୍ଜର୍ସ ନିୟୋଜିତ କରାଯାଇଛି । ଇସଲାମାବାଦ, ପଞ୍ଜାବ ଓ ପେଶାୱରରେ ୧୪୪ ଧାରା ଲାଗୁ କରାଯାଇଛି ।

ସେପଟେ ମଙ୍ଗଳବାର ଦିନ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା । ସେପଟେ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ କୌଣସି କୋର୍ଟକୁ ନିଆ ନଯାଇ ନ୍ୟାସାନଲ ଆକାଉଣ୍ଟବିଲିଟି ବ୍ୟୁରୋ କୋର୍ଟ ରାଉଲପିଣ୍ଡି ଠାରେ ହାଜର କରାଯାଇ ମାମଲାର ଶୁଣାଣି କରାଯିବ ।