ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସେନା ମୁଖ୍ୟାଳୟ, ଗଭର୍ଣ୍ଣର ହାଉସ ଉପରେ ସମର୍ଥକଙ୍କ ଆକ୍ରମଣ, ୬ ମୃତ, ଏକାଧିକ ଆହତ, ଗୃହଯୁଦ୍ଧର ଆଶଙ୍କା

139

କନକ ବ୍ୟୁରୋ: ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ । ତାଙ୍କର ସମର୍ଥକମାନେ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିବା ସହ ଗଭର୍ଣ୍ଣର ହାଉସକୁ କବଜା କରିଛନ୍ତି । ଏହି ହିଂସାରେ ଏଯାଏଁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଉଗ୍ର ରୂପ ନେଇଛି ହିଂସା । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହା ଭିତରେ ଇମ୍ରାନଙ୍କୁ ଇସଲାମାବାଦ ହାଇକୋର୍ଟରୁ ଆଉ ଏକ ଝଟକା ମିଳିଛି । ତାଙ୍କର ଗିରଫ ହେବାକୁ ବୈଧ ବୋଲି କହିଛନ୍ତି ହାଇକୋର୍ଟ ।
ତାଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଏକପ୍ରକାର ଗୃହଯୁଦ୍ଧର ସମ୍ଭାବନା ସୃଷ୍ଟି ହେଇଛି ।

– ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କ୍ଷୁବ୍ଧ ସମର୍ଥକମାନେ ସେନା ଓ ସରକାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି । ଗଭର୍ଣ୍ଣର ହାଉସ୍ ଓ ସେନା ହେଡକ୍ୱାର୍ଟରକୁ କବଜା କରିନେଇଛନ୍ତି ।

– ପିଟିଆଇର ଅପିଲ ପରେ ସମର୍ଥମାନେ ପାକିସ୍ତାନର ଗଳିକନ୍ଦିରେ ଇମ୍ରାନଙ୍କୁ ମୁକ୍ତ କରିବାକୁ ନାରା ଲଗାଉଥିବାର ଦେଖିବାକୁ ମିଳୁଛି ।

ଅନ୍ୟପକ୍ଷରେ ପାକିସ୍ତାନର ହିଂସା ଘଟଣା ନେଇ ଭାରତର ପ୍ରତିରକ୍ଷା ବାହିନୀ ସତର୍କ ହୋଇଛି। ସେନା ବାହିନୀ ପାକ୍‌ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଅନ୍ତର୍ଜାତୀୟ ସୀମାରେ କଡ଼ା ନଜର ରଖାଯିବା ସହ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି।

ପାକିସ୍ତାନରେ ଆରମ୍ଭ ହୋଇଥିବା ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ଆଭ୍ୟନ୍ତରୀଣ ପରିସ୍ଥିତିର ଚାପ ହ୍ରାସ କରିବା ପାଇଁ ପାକିସ୍ତାନ ସେନା ଏଲଓସିରେ କିଛି ସମସ୍ୟା ସୃଷ୍ଟି କରିପାରେ। ଭାରତୀୟ ସେନାକୁ ଦୋଷ ଦେଇ ପାକ୍ ସେନା ଏଭଳି କାର୍ୟ୍ୟ କରିପାରେ ବୋଲି ଆଶଙ୍କା ଉପୁଜିଛି। ସନ୍ଧା ସୁଦ୍ଧା ସୀମାରେ ପାକିସ୍ତାନ ସେନାର ଗତିବିଧିରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ବୁଧବାର ଏହି ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ପାକ୍‌ ସେନା ସହାୟତାରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ଛକି ରହିଥିବାରୁ ଏହାକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ହାଇଆଲର୍ଟରେ ରହିଛି ।