ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ : ସରକାର ବଞ୍ଚାଇବାକୁ ଇମ୍ରାନ ଖାନଙ୍କ ପାଖରେ ନାହିଁ ମ୍ୟାଜିକ ଅଙ୍କ, ବିରୋଧୀଙ୍କ ପଲଡା ଭାରି

63

କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନ ସରକାର ବଳବତ୍ତର ରହିବ ନା କ୍ଷମତାଚ୍ୟୁତ ହେବ ତାହା ଆଜି ସ୍ପଷ୍ଟ ହୋଇଯିବ । ଆଜି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲି ବା ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ । ଅର୍ଥାତ୍ ସଂସଦରେ ଇମ୍ରାନ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଦିନ ୧୧ଟାରୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ତେବେ ଇମ୍ରାନଙ୍କ ପାଖରେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ତାଙ୍କ ସରକାର କ୍ଷମତାରୁ ଯିବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନ ନେସନାଲ ଆସେମ୍ବ୍ଲିରେ ମୋଟ ସାଂସଦଙ୍କ ସଂଖ୍ୟା ୩୪୨ । ତେଣୁ ଫ୍ଲୋର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିବାକୁ ହେଲେ ୧୭୨ ସାଂସଦଙ୍କ ସମର୍ଥନ ଇମ୍ରାନ ଖାନଙ୍କୁ ଦରକାର । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଇମ୍ରାନଙ୍କୁ କେବଳ ୧୪୨ ସାସଂଦଙ୍କ ସମର୍ଥନ ଥିବା କୁହାଯାଉଛି । ସେପଟେ ୧୯୯ ସାଂସଦଙ୍କ ସଂଖ୍ୟା ବଳ ଥିବା ଦାବି କରୁଛନ୍ତି ବିରୋଧୀ ଦଳ । ତେଣୁ ଚର୍ଚ୍ଚା ହେଉଛି ଏଥର ଆସ୍ଥା ଭୋଟରେ ହାରି ଇମ୍ରାନ ସରକାର କ୍ଷମତାରୁ ଯିବା ଏକ ପ୍ରକାର ନିଶ୍ଚିତ ।

ଆସ୍ଥା ଭୋଟରେ ଇମ୍ରାନ ହାରିବା ପରେ ବିରୋଧୀ ଦଳ ନେତା ଶହବାଜ ସରିଫ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି । ଇମ୍ରାନ ଖାନକୁ ଏପରି ସ୍ଥିତିକୁ ଆଣି ଛିଡା କରାଇବା ପଛରେ ରହିଛି ପାକିସ୍ତାନ ସୁପ୍ରିମକୋର୍ଟଙ୍କ ରାୟ । ୫ ଜଣିଆ ଖଣ୍ଡପୀଠ ୫ ଦିନ ଶୁଣାଣି କରିବା ପରେ ସଂସଦ ଭଙ୍ଗ ନିଷ୍ପତିକୁ ଅଣସାମ୍ବିଧାନିକ ଦର୍ଶାଇ, ଉପବାଚସ୍ପତି ଓ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ଖାରଜ କରିଥିଲେ । ଏଥିସହ ସଂସଦକୁ ପୁନଃସ୍ଥାପିତ କରି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ ।