ସୋସିଆଲ ମିଡିଆ ବନିଲା ଶିକ୍ଷକ ! ୟୁଟ୍ୟୁବ ଶିକ୍ଷାରୁ ଆଇଆଇଟି ସଫଳତା

167

କନକ ବ୍ୟୁରୋ: ସୁବିଧାରେ ସଫଳତାର ପାହାଚ ଚଢ଼ିବା ହୁଏତ ସହଜ । ହେଲେ ଯେଉଁ ସଫଳତାରେ ସଂଘର୍ଷ ଥାଏ, ଆହ୍ୱାନକୁ ସାମ୍ନା କରିବାର ସୁଯୋଗ ଥାଏ, ସେଇ ସଫଳତାର କାହାଣୀ ସତରେ ନିଆରା, ସତରେ ପ୍ରେରଣାଦାୟୀ । ପ୍ରକାଶ ବିଷୋୟୀଙ୍କ ବଢୁଥିବା ପ୍ରତିଟି ପାଦରେ ସଂଘର୍ଷ ଥିଲା । କେତେବେଳେ ଅର୍ଥ, ଆଗକୁ ବଢୁଥିବା ପାଦର ବାଟ ଓଗାଳୁଥିଲା, ଆଉ କେତେବେଳେ ଦାରିଦ୍ର୍ୟ ପଛକୁ ଟାଣିବାକୁ ପ୍ରୟାସ କରୁଥିଲା । କିନ୍ତୁ ହାର୍ ମାନିନଥିଲେ ମାଲକାନଗିରିର ଏହି ମେଧାବୀ ଯୁବକ ।

  • ସୋସିଆଲ ମିଡିଆ ବନିଲା ଶିକ୍ଷକ !
  • ୟୁଟ୍ୟୁବ ଶିକ୍ଷାରୁ ଆଇଆଇଟି ସଫଳତା

ମାଥିଲି ବ୍ଲକ୍ ଦୁରାଗୁଡ଼ା ଗାଁର ପ୍ରକାଶ ବିଷୋୟୀ । ଗରିବ ଘରର ମେଧାବୀ ପିଲାଟିଏ । କୋରାପୁଟ କଲେଜରୁ ବିଜ୍ଞାନରେ ଡିଗ୍ରୀ ସିନା ସାରିଦେଲେ, ହେଲେ ମନରେ ଇଚ୍ଛା ଥିଲା ଆଇଆଇଟି ଯିବେ । ଆଇଆଇଟିରେ ପାଠ ପଢ଼ିବେ । ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଥମେ ଗାଁରେ ପିଲାଙ୍କୁ ଟ୍ୟୁସନ୍ କଲେ । ସେଥିରୁ ଯାହା ଟଙ୍କା ଆସିଲା, ଆଇଆଇଟି ପାଇଁ ଅନଲାଇନରେ ପାଠ ପଢ଼ିଥିଲେ । ଆଉ ଏଥିରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭଳି ସହଯୋଗ କରିଥିଲା ୟୁଟ୍ୟୁବ୍ ଏବଂ ଦୂରରେ ଥାଇ ଏକଲବ୍ୟ ଭଳି ସଫଳତା ପାଇଛନ୍ତି ପ୍ରକାଶ ବିଶୋୟୀ । ଆଇଆଇଟିରେ ସର୍ବଭାରତୀୟ ସ୍ତରରରେ ରାଙ୍କ ହାସଲ କରିଛନ୍ତି ।

ଆଇଆଇଟିରେ ପାଠ ପଢିବାକୁ ହେଲେ ମୋଟା ଅର୍ଥର ଆବଶ୍ୟକ ପଡୁଥବାରୁ ପ୍ରଶାସନର ସହାୟତା ଲୋଡିଛନ୍ତି ପ୍ରକାଶ ଓ ପରିବାର ଲୋକେ । ଗାଁଲୋକେ ମଧ୍ୟ ପ୍ରକାଶକୁ ସଫଳତାକୁ ନେଇ ଖୁସି ହେବା ସହ ତାଙ୍କ ପାଠପଢାରେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ କଥାରେ ଅଛି ଇଚ୍ଛା ଶକ୍ତି ଆଗରେ ହାର ମାନିଯାଏ ସବୁ ଅଭାବ-ଅସୁବିଧା । ଏହି ଲୋକକଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଇଛନ୍ତି ପ୍ରକାଶ ବିଷୋୟୀ ।