ଝାରସୁଗୁଡ଼ାବାସୀଙ୍କୁ ବଡ଼ ବିଜୟର ଶ୍ରେୟ ଦେଲେ ଦୀପାଳି । କହିଲେ, ସେବା ଜରିଆରେ ଦେବି ଭଲପାଇବାର ମୂଲ୍ୟ ।

571

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଦୀପାଳିଙ୍କ ବୃହତ ବିଜୟ ପରେ ଝାରସୁଗୁଡ଼ାବାସୀଙ୍କୁ ପ୍ରଥମେ ଧନ୍ୟବାଦ ଦେଇଛନ୍ତି ଦିବଙ୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ । ଟ୍ୱିଟ୍ କରି ଦୀପାଳି କହିଛନ୍ତି ଯେ, ଭୋଟରଙ୍କ ଭଲ ପାଇବାର ମୂଲ୍ୟ ମୁଁ ସେବା ଜରିଆରେ ଦେବି । ମୋ ଉପରେ ବିଶ୍ୱାସ ଓ ଭଲ ପାଇବାର ଆଶୀର୍ବାଦ ରଖିଥିବାରୁ ସମଗ୍ର ଝାରସୁଗୁଡ଼ାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଦୀପାଳି ଟ୍ୱିଟ୍ କରି କହିଛନ୍ତି ।

ଏଥିସହ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ୩ ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଏବଂ ସାରଦା ନାୟକ ଓ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି । ବାପାଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଗାମୀ ଦିନରେ ଝାରସୁଗୁଡ଼ାକୁ ବିକାଶର ଶିଖରରେ ପହଞ୍ଚାଇବା ମୋର ମୂଳଲକ୍ଷ୍ୟ । ଏଥିପାଇଁ ମୁଁ ମୋର ଉଦ୍ୟମ ଜାରି ରଖିବି ବୋଲି ବିଜୟ ପରେ ପ୍ରତିଶ୍ରୁତି ଦେଇଛନ୍ତି ଦୀପାଳି ।

ତେବେ ଝାରସୁଗୁଡାରେ ବିଜେପି ଓ କଂଗ୍ରେସଙ୍କୁ ଝଟକା ଦେଇ ରେକର୍ଡ ସଂଖ୍ୟକ ଭୋଟରେ ଜିତିଛି ବିଜେଡି । ବାପା ନବଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳି ଦାସ । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କୁ ୪୮,୭୨୧ ଭୋଟରେ ପରାଜିତ କରିଛନ୍ତି ଦୀପାଳି ଦାସ । ଗତ ୨୦୧୯ ନିର୍ବାଚନ ତୁଳନାରେ ଅଧିକ ଭୋଟ ପାଇଛି ବିଜେଡି । ୨୦୧୯ରେ ସ୍ୱଗର୍ତ ନବ ଦାସ ୯୮୬୨୦ ଭୋଟ ପାଇବା ସହ ୪୫୬୯୯ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ଉପ-ନିର୍ବାଚନରେ ଝିଅ ଦୀପାଳି ୧୦୭୧୯୮ ଭୋଟ ପାଇବା ସହ ୪୮,୭୨୧ ଭୋଟରେ ବିଜୟୀ ହୋଇଛନ୍ତି । ସେହିଭଳି ଉପ-ନିର୍ବାଚନରେ ବିଜେପିର ଭୋଟ ହାର ମଧ୍ୟ ବଢିଛି । ଗତ ନିର୍ବାଚନରେ ବିଜେପି ୫୨୯୨୧ ଭୋଟ ପାଇଥିବା ବେଳେ ଉପ-ନିର୍ବାଚନରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୮୩୮୪ରେ ପହଞ୍ଚିଛି ।