ଏହି ୫ ପ୍ରତିଶ୍ରୁତି, କର୍ଣ୍ଣାଟକରେ କଂଗ୍ରେସକୁ ଦେଲା ବିଜୟ

1,079

କନକ ବ୍ୟୁରୋ : ଦୀର୍ଘଦିନ ପରେ କଂଗ୍ରେସ ଦେଶର ଏକ ବଡ ରାଜ୍ୟରେ ଏକାକୀ ବହୁମତ ହାସଲ କରିବାରେ ସଫଳ ହୋଇଛି । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ଏବେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । କର୍ଣ୍ଣାଟକରେ କଂଗ୍ରେସ ଶାସକ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଛି । ହେଲେ କର୍ଣ୍ଣାଟକରେ କଂଗ୍ରେସ ବିଜୟ ପାଇଁ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ କାରଣ ଭାବେ ଧାରା ଯାଉଛି । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟବାସୀଙ୍କ ମୁଖ୍ୟତ ୫ଟି ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ଏହାସହ ଆଜି ବହୁମତ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି ସରକାର ଗଠନ ପରେ ପ୍ରଥମ ବୈଠକରେ ଏହି ୫ଟି ପ୍ରତିଶ୍ରୁତ ପୁରଣ କରାଯିବ । ତେବେ ଆସନ୍ତୁ ଜାଣିବା କର୍ଣ୍ଣାଟକ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ସେହି ୫ଟି ପ୍ରତିଶ୍ରୁତି ବାବଦରେ ଯାହା ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ପ୍ରଥମତଃ କଂଗ୍ରେସ କର୍ଣ୍ଣାଟକବାସୀଙ୍କ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇଥିଲା । ଏଥିରେ କୁହାଯାଇଥିଲା କି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କଲେ ପ୍ରତି ପରିବାରକୁ ଗୃହ ଜ୍ୟୋତି ଯୋଜନାରେ ମାସିକ ୨୦୦ ୟୁନିଟ୍ ବିଜୁଳି ମାଗଣା ଯୋଗାଇ ଦିଆଯିବ । ଏହାପରେ ମହିଳା ମାନଙ୍କ ଆକୃଷ୍ଟ କରିବାକୁ କଂଗ୍ରେସ ପକ୍ଷରୁ ଏକ ବଡ ପ୍ରତିଶ୍ରୁତି ଦିଆଯାଇଥିଲା । ଏଥିରେ କୁହାଯାଇଥିଲା କି କଂଗ୍ରେସ ସରକାର ଆସିଲେ ଗୃହ ଲକ୍ଷ୍ମୀ ଯୋଜନାରେ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨୦୦୦ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ତୃତୀୟରେ ଥିଲା ଅନ୍ନ ଭାଗ୍ୟ ଯୋଜନା । ଏହି ଯୋଜନା ମାଧ୍ୟମରେ ପ୍ରତି ବିପିଏଲ ପରିବାରକୁ ମାସିକ ୧୦ କେଜି ଖାଦ୍ୟଶସ୍ୟ ଯୋଗାଇ ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ସେହିଭଳି ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଯୁବ ନିଧି ଯୋଜନାରେ ପ୍ରତି ବେକାରୀଙ୍କୁ ମାସିକ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ସେହିଭଳି କର୍ମୀଜୀବି ମହିଳାମାନଙ୍କ ଯାତାୟତ ପାଇଁ କଂଗ୍ରେସ ଶକ୍ତି ଯୋଜନା ଘୋଷଣା କରିଥିଲା । ଏହି ଯୋଜନାରେ ରାଜ୍ୟର ମହିଳାମାନେ ସରକାରୀ ନିଗମ ବସରେ ମାଗଣାରେ ଯାତ୍ରା କରିପାରିବେ ।