ପ୍ରେମ ଦିବସରେ ‘ଗାଈକୁ କର ଆଲିଙ୍ଗନ’: କେନ୍ଦ୍ରୀୟ ସଂସ୍ଥାର ଚିଠିକୁ ନେଇ ବଢିଲା ଚର୍ଚ୍ଚା

182

କନକ ବ୍ୟୁରୋ: ସାରା ବିଶ୍ୱରେ ଫେବୃଆରୀ ୧୪ରେ ଭାଲେଂଟାଇନ ଦିବସ ପାଳନ ପାଇଁ ଯୁବପୀଢି ପ୍ରସ୍ତୁତ ହେଉଛନ୍ତି । ଆଉ ବିଗତ କିଛି ବର୍ଷ ଧରି ଏହି ପରମ୍ପରା ଦେଶ ତଥା ରାଜ୍ୟରେ ଉତ୍ସାହର ସହ ପାଳନ କରୁଛନ୍ତି ଯୁବପୀଢି । ଏହି ସମୟରେ ଭାରତ ସରକାରଙ୍କ ପଶୁ କଲ୍ୟାଣ ବୋର୍ଡର ଚିଠିକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଚିଠିରେ ଆସନ୍ତା ୧୪ ତାରିଖକୁ ଗାଇ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୁହାଯାଇଛି, ଗାଈ ଭାରତୀୟ ସଂସ୍କୃତିର ଆଧାର । ଗାଈକୁ ଆମେ ଗୋମାତା ବା କାମଧେନୁ ବୋଲି କହିଥାଉ । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଆମେ ଏହାକୁ ଭୁଲିଯାଇଛୁ । ଗାଈକୁ ଆଲିଙ୍ଗନ କଲେ ମନରେ ଅପାର ଆନନ୍ଦ ଆସିଥାଏ । ତେଣୁ ମନର ଖୁସି ପାଇଁ ପ୍ରେମ ଦିବସକୁ ଗାଈପ୍ରେମୀମାନେ ‘ଗାଈ ଆଲିଙ୍ଗନ’ ଦିବସ ଭାବେ ପାଳନ କରନ୍ତୁ ।

କେନ୍ଦ୍ର ସରକାରଙ୍କ ଏକ ବୋର୍ଡର ଏଭଳି ଚିଠିକୁ କଂଗ୍ରେସ ଓ ବାମଦଳ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ କହିଛି, କେଉଁ ଉଦ୍ଦେଶ୍ୟରେ କେନ୍ଦ୍ରର ଏକ ବିଭାଗ ଏଭଳି ଚିଠି କରିଛି ତାହା ସ୍ପଷ୍ଟ ହେବା ଦରକାର । ଦେଶ ସମ୍ବିଧାନକୁ ନେଇ ଚାଲେ, ଧର୍ମୀୟ ବିଚାରକୁ ନେଇ ଚାଲେନା । ସମସ୍ତ ପଶୁଙ୍କ ପାଇଁ ଏଭଳି ଦିବସ ହେବ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେହିଭଳି ବାମପନ୍ଥୀ ନେତା କହିଛନ୍ତି, ଯୁବପୀଢିକୁ ଭ୍ରମିତ କରିବାକୁ ଉଦ୍ୟମ ହେଉଛି । ଏହା ଏକ ଲଜ୍ଜାଜନକ କଥା । ସଂଘ ପରିବାର ଚାପରେ କେନ୍ଦ୍ର କାମ କରୁଛି । ଏ ସମ୍ପର୍କରେ କେନ୍ଦ୍ର ସ୍ପଷ୍ଟୀକରଣ ଦେବା ଦରକାର । ବିଜେପି କିନ୍ତୁ ଏହାକୁ ପାଳନ କରିବ ବୋଲି କହିଛି । ହିନ୍ଦୁ ଧର୍ମରେ ସବୁବେଳେ ଗାଈକୁ ପୂଜା କରାଯାଇଥାଏ । କିନ୍ତୁ ଭାଲେଟାଂଇନ ଦିବସରେ କେନ୍ଦ୍ରୀୟ ସଂସ୍ଥାର ଏହି ଚିଠି ଏବେ ନୂଆ ବିତର୍କ ସୃଷ୍ଟି କରିଛି ।