ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ପୁଲିସ ଛାଉଣୀ: ୪୦ ପ୍ଲାଟୁନ ଫୋର୍ସ ରଖିବେ କଡା ନଜର

120

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବର ଅଭ୍ୟାସ । ଶୁକ୍ରବାର ରାଷ୍ଟ୍ରପତି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ପୂର୍ବରୁ ରାଷ୍ଟ୍ରପତିଙ୍କ କାରକେଡ ପାଇଁ ରିହର୍ସଲ କରାଯାଇଛି । ବ୍ଲୁ ବୁକ୍ ଗାଇଡ୍ଲାଇନ୍ ଅନୁସାରେ ୩୦ଟି କାର କାରକେଡ୍ରେ ସାମିଲ ହେବେ । ପ୍ରଥମେ ୱାର୍ଣ୍ଣିଂ କାର ଯିବ । ଏହା ପଛେ ପଛେ ପାଇଲଟ୍ କାର ଯିବ । ଏହି ପରି ୫ଟି ଗାଡି ଯିବା ପରେ ଷଷ୍ଠ ଗାଡି ରାସ୍ତାକୁ କ୍ଲିୟର କରିବ । ତା ପଛକୁ ଜାମର ଗାଡି ବା ଟେକ୍ନୋ କାର ରହିବ । ଏହି ଗାଡି ଯିବା ମାତ୍ରେ ୩ ଶହ ମିଟର ପରିଧି ଭିତରେ ସମସ୍ତ ମୋବାଇଲ ନେଟୱର୍କ ଅକାମୀ ହୋଇଯିବ । ଏହା ପଛକୁ ଭିଭିଆଇପିଙ୍କ କାର ରହିବ । ଏହା ପଛରେ ଏସ୍କର୍ଟ-୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ରହିବେ । ଏସ୍କର୍ଟ-୨ରେ ଓଡିଶା ପୁଲିସର ଏକ୍ସପର୍ଟ ରହିବେ । ତା ପଛରେ ରାଷ୍ଟ୍ରପତିଙ୍କ ଅଫିସିଆଲ ରହିବେ । ଆଉ ଶେଷରେ ଫାୟାର ଓ ଆମ୍ବୁଲାନ୍ସ ରହିବ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ୨ ଶହ ପୁଲିସ ଅଫିରସଙ୍କ ନଜରରେ ରହିବ ପୁରା ସହର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ୧୧ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଅପରାହ୍ଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିଲେ । ତେଣୁ ତାଙ୍କ ଆଗମନକୁ ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଅଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟର ନୂଆ ଅଡଟୋରିୟମ ବି ପ୍ରସ୍ତୁତ ହୋଇ ରହିଛି । ରାଷ୍ଟ୍ରପତି ଶନିବାରଦିନ ଲିଙ୍ଗରାଜ ଦର୍ଶନରେ ବି ଯିିବେ । ଏଥିପାଇଁ ଅଧଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ ।