କେମିତି ଅଛି ଗୋପାଳର ମାନସିକ ସ୍ୱାସ୍ଥ୍ୟାବସ୍ଥା? ପାଗଳ ସଜାଇବାକୁ ହେଉଛି କି ଷଡ଼ଯନ୍ତ୍ର?

122

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ଅସୁସ୍ଥତା ରହିଛି । କ୍ରାଇମବ୍ରାଞ୍ଚଏକ ପ୍ରେସ ରିଲିଜ କରି ଏହା କହିଛି । ଏହାପରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି । ହତ୍ୟାକାଣ୍ଡ ଘଟଣାର ଷଡଯନ୍ତ୍ର ଦିଗକୁ ନେଇ ଏବେ ତଦନ୍ତକାରୀ ଟିମ୍ ଯେତିକି ତତ୍ପରତା ଦେଖାଉନି ସେତିକି ବ୍ୟଗ୍ର ହେଉଛି ଗୋପାଳର ମାନସିକ ଅସୁସ୍ଥତାକୁ ନେଇ । ଯଦି ଗୋପାଳ ପ୍ରକୃତରେ ମାନସିକ ରୋଗୀ, ତାହାଲେ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ହେଲା କିପରି? ନା ହତ୍ୟାକାଣ୍ଡ ଘଟଣାକୁ ବିଳମ୍ବିତ କରିବାକୁ ତଦନ୍ତକାରୀ ଟିମ୍ କରୁଛି ମସୁଧା? ଯଦି ସେ ମାନସିକ ଅସୁସ୍ଥ ତାହେଲେ ଯେଉଁସବୁ ପରୀକ୍ଷା କରାଯାଉଛି କାହାର ଅନୁମତି ନିଆଯାଉଛି?

ଗୋପାଳକୁ ନିମହାନ୍ସ ନେଇ ଅଧିକ ଚିକିତ୍ସା କରାଯିବାର ଆବେଦନ ତଳ କୋର୍ଟରେ ଖାରଜ ହେବା ପରେ ଝାରସୁଗୁଡା ଜିଲ୍ଲା ଦୌରା ଜଜ୍ଙ୍କ ନିକଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଗୋପାଳକୁ ତିନି ସପ୍ତାହ ପାଇଁ ବେଙ୍ଗାଲୁରୁ ନିମହାନ୍ସକୁ ନେଇ ସେଠାରେ ତାର ମାନସିକ ସ୍ଥିତିର ଅଧିକ ଯାଞ୍ଚ କରାଯିବ । ପରେ ଗୋପାଳର ରିପୋର୍ଟ କୋର୍ଟରେ ଏବଂ ତଦନ୍ତକାରୀ ଟିମ୍ ପାଖରେ ପଇଠ କରାଯିବ ବୋଲି କ୍ରାଇମବ୍ରାଞ୍ଚ ନିଜ ଆବେଦନରେ ଉଲ୍ଲେଖ କରିଛି । ହତ୍ୟା ଘଟଣାକୁ ୨୫ ଦିନ ବିତିଛି । ହେଲେ ଏଯାବତ ହତ୍ୟା ପଛର କାରଣ ଜଣାପଡିନି ।

କ୍ରାଇମବ୍ରାଞ୍ଚ କିନ୍ତୁ ଏହାରି ଭିତରେ ନାର୍କୋ, ପଲିଗ୍ରାଫ ସମେତ ଏଲଭିଆର ଭଳି ଟେଷ୍ଟ କରିଛି । ତଦନ୍ତରେ ବିଶ୍ୱସନୀୟତା ଆଣିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଏହିସବୁ ପରୀକ୍ଷା କରିଛି । ହେଲେ ଏବେ ପୁଣି ନିମହାନ୍ସ ନେବାକୁ ଝାରସୁଗୁଡା ଜିଲ୍ଲା ଦ୍ୱୌରାଜଜ କୋର୍ଟରେ ଆବେଦନ କରିବା ତଦନ୍ତକାରୀ ସଂସ୍ଥା ଉପରେ ସନ୍ଦେହ ସୃଷ୍ଟି କରିଛି ।