ରାଜନୀତିରେ ରୋଚକ ଓ ଭାବପୂର୍ଣ୍ଣ ଦୃଶ୍ୟ। ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିଦାୟୀ କାର୍ଯ୍ୟକ୍ରମରେ ପାଦ ଛୁଇଁ ପ୍ରଣାମ କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।

743

କନକ ବ୍ୟୁରୋ: ରାଜନୀତିର ପଶାପାଲିରେ ଏମିତି ଫଟୋ ଖୁବ୍ କମ୍ ଦେଖିବାକୁ ମିଳେ । କାରଣ ଆରୋପ ଓ ପ୍ରତ୍ୟାରୋପର ପର୍ବ ଭିତରେ କେଉଁଠି ସମ୍ପର୍କର ମଧୁରତା ଯେମିତି ଲୁଚି ହଜିଯାଇଛି । ହେଲେ ଏହି ଫଟୋଟି ପୁଣି ଥରେ ପ୍ରମାଣ କରୁଛି, ରାଜନୀତିରେ ଏବେବି ସୌଜନ୍ୟ ଅଛି, ସମ୍ମାନ ଅଛି, ସୌହାର୍ଦ୍ଦ୍ୟ ବି ଅଛି । ରାଜ୍ୟର ରାଜ୍ୟପାଳ ଯେତେବେଳେ ନିଜ କାର୍ଯ୍ୟକାଳ ସାରି ବିଦାୟ ନେଉଛନ୍ତି ତାଙ୍କ ପାଦ ଛୁଇଁ ସମ୍ମାନର ସହ ତାଙ୍କୁ ବିଦାୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ଭାରତୀୟ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ । ତାଙ୍କରି ନାମରେ ଶାସନ ଚାଲେ । ହେଲେ କାର୍ଯ୍ୟକାରୀ ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସରକାରର ମୁଖ୍ୟ ହିସାବରେ ସାରା ରାଜ୍ୟର ଦାୟିତ୍ୱ ତାଙ୍କ ଉପରେ । ଆଉ ଏହି ଦୁଇ ମୁଖ୍ୟଙ୍କ ମଧ୍ୟରେ ତାଳମେଳ ରହିବା ନିହାତି ଜରୁରୀ । ନହେଲେ ରାଜ୍ୟର ପରିଚାଳନା କଷ୍ଟକର ହୋଇପଡ଼େ । ପଶ୍ଚିମବଙ୍ଗ, କେରଳ ପରି ଅଣବିଜେପି ଶାସିତ ରାଜ୍ୟରେ ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ହେଲେ ଆନ୍ଧ୍ରରେ ତକ୍ରାଳୀନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ମଧ୍ୟରେ ଏକ ବେଶ୍ ଭଲ ତାଳମେଳ ଦେଖିବାକୁ ମିଳିଥିଲା । ନିକଟରେ ଆନ୍ଧ୍ରରେ ୩ ବର୍ଷ ୭ ମାସର କାର୍ଯ୍ୟକାଳ ପରେ ବିଶ୍ୱଭୂଷଣଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି । ଆଉ ଏଥିପାଇଁ ସେ ମଙ୍ଗଳବାର ଆନ୍ଧ୍ର ଛାଡ଼ିଛନ୍ତି । ଆଉ ସେହି ବିଦାୟ ସମୟରେ ଏମିତି କିଛି ଭାବପୂର୍ଣ୍ଣ ଫଟୋ ସାମ୍ନାକୁ ଆସିଛି । ବିଶ୍ୱଭୂଷଣଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ।

ରାଜ୍ୟପାଳଙ୍କୁ ବିଦାୟୀ ଉତ୍ସବରେ ଉଭୟ ବିଶ୍ୱଭୂଷଣ ଓ ଜଗନ ଭାବପ୍ରବଣ ହୋଇପଡ଼ିଥିଲେ । ଜଗନ କହିଥିଲେ, ବିଶ୍ୱଭୂଷଣ ତାଙ୍କ ପାଇଁ ବାପା ଭଳି । ଏହାସହ ସେ ଜଣେ ବରିଷ୍ଠ ରାଜନେତା ଓ ଆଇନ ବିଶାରଦ । ରାଜ୍ୟପାଳ ଭାବେ ନିଜ କାର୍ଯ୍ୟକାଳ ସମୟରେ ରାଜ୍ୟ ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରିଛନ୍ତି । ଆଗାମୀ ଦିନରେ ସ୍ୱାସ୍ଥ୍ୟ ଓ ନୂଆ ଦାୟିତ୍ୱରେ ସଫଳତା ପାଇଁ କାମନା କରୁଛି ବୋଲି କହିଛନ୍ତି ଜଗନ । ସେପଟେ ବିଶ୍ୱଭୂଷଣ କହିଛନ୍ତି ଯେ, ଆନ୍ଧ୍ର ତାଙ୍କ ପାଇଁ ଦ୍ୱିତୀୟ ଘର । ଆଉ ସେ ଯେତେବେଳେ ଏହି ଘର ଛାଡ଼ି ଯାଉଛନ୍ତି, ମନରେ ଦୁଃଖ ନେଇ ଯାଉଛନ୍ତି, ହେଲେ ଆନ୍ଧ୍ରବାସୀଙ୍କ ଭଲ ପାଇବା ମଧ୍ୟ ତାଙ୍କ ସାଥୀରେ ଅଛି ।