କନକ ବ୍ୟୁରୋ: ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ, ପ୍ରେମ ଅମର । ପ୍ରେମ ପ୍ରେମିକର ଭାବନା… ପ୍ରେମିକାର ଆନମନା… ପ୍ରେମ ଆଖିରେ ହୁଏ, ଛାତିରେ ହୁଏ… ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ… କିଏ କୁହେ ପ୍ରେମ ଅଢେଇ ଅକ୍ଷର ତ … ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ.. ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ପ୍ରେମ । ତେଣୁ ତ ପ୍ରେମ ସୀମାହୀନ ସାଗର, ଆକାଶଠୁ ବିଶାଳ…
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରେମୀ ଯୁଗଳମାନେ ନିଜ ପ୍ରେମକୁ ପରିପ୍ରକାଶ କରିବାକୁ ପାଳିଥାନ୍ତି ଭାଲେଟାଂଇନ୍ ୱିକ୍ । ଯାହାର ଆଜି ହେଉଛି ଶେଷ ଦିନ… ଆଜି ଭାଲେଟାଂଇନ୍ ଡେ । ରୋଜ ଡେ’ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ପ୍ରପୋଜ ଡେ, ଚକଲେଟ୍ ଡେ, ପ୍ରମିଜ ଡେ ଏବଂ କିସ୍ ଡେ’ ରାସ୍ତା ଡେଇଁ ଭାଲେଟାଂଇନ୍ ଡେ’ରେ ପହଞ୍ଚେ । ଯାହାକୁ ପ୍ରତିଟି ପ୍ରେମୀ ଯୁଗଳ ବେଶ ଉତ୍ସାହର ସହ ମନେଇଥାନ୍ତି ।
ଫେବୃଆରୀ ୧୪, ପ୍ରତି ପ୍ରେମିକ, ପ୍ରେମିକାଙ୍କ ପାଇଁ ଗୋଟିଏ ଅଭୁଲା ଦିନ । ପ୍ରତିବର୍ଷ ପ୍ରେମ ପକ୍ଷୀମାନେ ଏହି ଦିନଟିକୁ ପ୍ରେମର ଦିନ ଭାବେ ପାଳନ କରିଥାନ୍ତି । ନିଜର ମନର କଥା, ଛାତି ତଳର ଧକଧକ, ଲାଜ ମିଶା ଲଭ ଲେଟରରେ ଯେଉଁ କଥା ନିଜ ମନର ମଣିଷକୁ କହିପାରି ନଥାନ୍ତି ଆଜି ସେହି ଶବ୍ଦକୁ ପ୍ରେମର ସୁରରେ ସଜେଇ ଜୀବନ ସାଥୀ କହିଦିଅନ୍ତି । ସେଇଥିପାଇଁ ତ.. ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଏହି ପ୍ରେମ ସପ୍ତାହ ବା ଭାଲେଟାଂଇନଡେକୁ ନେଇ ଆମ ଦେଶର ଯୁବପୀଢି ମାନେ ବେଶ ଉତ୍ସାହିତ ଥାନ୍ତି ।
ତେବେ ଏହି ଭାଲେଟାଇନ୍ ଡେ କେମିତି ଆରମ୍ଭ ହେଲା ତାକୁ ନେଇ ମଧ୍ୟ ଅନେକ ରୋଚକ କଥା ରହିଛି । କୁହାଯାଏ ଆମେ ଯେଉଁ ଭାଲେଟାଂଇନକୁ ପ୍ରେମ ଦିବସ ଭାବେ ପାଳନ କରୁଛେ… ଅସଲରେ ତାହା ହେଉଛି ଜଣେ ପାଦ୍ରୀଙ୍କ ନାଁ । ଖୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମରେ କ୍ଲାଉଡିୟସ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ । ହେଲେ ସେତେବେଳେ ପାଦ୍ରୀ ଭାଲେଟାଂଇନ୍ ଏହାକୁ ବିରୋଧ କରିବା ସହିତ ଅନେକ ସୈନ୍ୟଙ୍କ ବିବାହ ଗୁପ୍ତରେ କରାଇ ଦେଇଥିଲେ । ଆଉ ଯେତେବେଳେ ରାଜା କ୍ଲାଉଡିୟସ ଏହି କଥା ଜାଣିବାକୁ ପାଇଲେ, ସେ ପାଦ୍ରୀ ଭାଲେଟାଇନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ଆଉ ପାଦ୍ରୀ ଭାଲେଟାଂଇନଙ୍କୁ ଯେଉଁଦିନ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ତା ଥିଲା ଫେବୃଆରୀ ୧୪ ତାରିଖ । ଆଉ ସେବେଠୁ ଏହି ଦିନକୁ ପ୍ରେମୀ ଯୁଗଳମାନେ ପ୍ରେମର ଦିବସ ମନେଇବା ସହିତ ଭାଲେଟାଂଇନ୍ ଡେ ସେଲିବ୍ରେଟ କରିଆସୁଛନ୍ତି ବୋଲି ଲୋକକଥା ରହିଛି ।
ସବୁପରେ ବି ପ୍ରେମକୁ ଗୋଟିଏ ଦିବସ କିମ୍ବା ଗୋଟିଏ ସପ୍ତାହ ଭିତରେ ବାନ୍ଧି ରଖିବା ଅସମ୍ଭବ । ମଣିଷର ମୃତ୍ୟୁ ପରେ ତା ପ୍ରେମ ଅନ୍ୟ ପାଇଁ ଉଦାହରଣ ସାଜେ । ସେଥିପାଇଁ ତ ରୋମିଓ ଜୁଲିଏଟଙ୍କଠୁ ଆରମ୍ଭ କରି ଅନେକ ପ୍ରେମୀପାଗଳଙ୍କ ପ୍ରେମ କାହାଣୀ ଆଜି ବି ଅମର ହୋଇ ରହିଛି । ସତରେ ପ୍ରେମ ଏକ ଅପୂର୍ବ ଅନୁଭବ, ଅକୁହା ଆନନ୍ଦର ନାଁ… ଯାହାକୁ ଖାଲି ଆଖି ବୁଜି ଅନୁଭବ କରିବୁଏ…