ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ସୋଲାର ଲାଇଟ ଓ ଫୁଟ୍ ଓଭରବ୍ରିଜ୍ କରି ଭୁବନେଶ୍ୱର ସାଂସଦ କହୁଛନ୍ତି ବିକାଶ ହୋଇଛି, ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ ।

162

କନକ ବ୍ୟୁରୋ : ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଅଭିଭାଷଣ ଆରମ୍ଭରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଖବରକାଗଜ ଭିତରେ ଲିଫଲେଟ୍ ଦେଇ କଣ କଣ କାମ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ । ଯାହାକୁ କାଉଣ୍ଟର କରିଛନ୍ତି ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ୫ ବର୍ଷରେ ଗୋଟିଏ ଫୁଟ୍ ଓଭରବ୍ରିଜ, ୭ ହଜାର ସ୍ଥାନରେ ସୋଲାର ଲାଇଟ, ୧୫୦ ହାଇମାକ୍ସ, ୨୦ଟି ମିନିମାକ୍ସ ଲଗାଇଛନ୍ତି ବୋଲି ଭୁବନେଶ୍ୱର ସାଂସଦ କହୁଛନ୍ତି । ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ ।

ଓଡ଼ିଶାକୁ ଆଗକୁ ନେବାକୁ ହେଲେ ଭୁବନେଶ୍ୱରକୁ ଆଗକୁ ନେବାକୁ ପଡିବ । କିନ୍ତୁ ଭୁବନେଶ୍ୱରର ବିକାଶ ପାଇଁ କେବେ ଧ୍ୟାନ ଦେଇନାହାନ୍ତି ସାଂସଦ । କ୍ୟାପିଟାଲ ରିଂ ରୋଡ କରିବାରେ ବିଫଳ ହୋଇଛନ୍ତି ଭୁବନେଶ୍ୱର ସାଂସଦ । ଭୁବନେଶ୍ୱରରେ କ୍ୟାପିଟାଲ ରିଂ ରୋଡ ପାଇଁ ଇଟା ଖଣ୍ଡିଏ ବି ପକାଇ ନାହାନ୍ତି ଭୁବନେଶ୍ୱର ସାଂସଦ । ତେଣୁ ଗତ ୫ ବର୍ଷରେ ଭୁବନେଶ୍ୱର ବହୁତ ପଛକୁ ଚାଲିଗଲାଣି । ତେଣୁ ଭୁବନେଶ୍ୱରକୁ ଆଗକୁ ନେବାକୁ ହେଲେ ୨ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେବେ ସଂସଦରେ ସ୍ୱର ଉଠାଇନାହାନ୍ତି ଭୁବନେଶ୍ୱର ସାଂସଦ । ଯୁବବର୍ଗଙ୍କୁ ନିଯୁକ୍ତି ଦେବାକୁ କୌଣସି ପଦକ୍ଷେପ ନେଇନାହାନ୍ତି । କିନ୍ତୁ ଅନ୍ୟପଟେ ନବୀନ ସରକାର ବିଭିନ୍ନ ପ୍ରକାର ପ୍ରକଳ୍ପ ଖୋର୍ଦ୍ଧାକୁ ଆଣିବା ସହ ଯୁବବର୍ଗଙ୍କ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଭୁବନେଶ୍ୱର ସାଂସଦଙ୍କ ଠାରୁ ଯାହା ଆଶା କରିଥିଲୁ ତାହା କରିଲେ ନାହିଁ ।ନିର୍ବାଚନ ଆସିବାରୁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ଆସନ୍ତା ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ପେନସନ ଦେବେ ନବୀନ । ମଧ୍ୟବିତ୍ତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି । ମଧ୍ୟବିତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନେଇଥିବା କହିଛନ୍ତି ପାଣ୍ଡିଆନ୍ ।। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ BSKY ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ କମ ପଇସାରେ ସୁବିଧା କରାଯାଇଛି। ଲକ୍ଷ୍ମୀ ବସ ଓ ମୋ ବସ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ । ତେଣୁ ମଧ୍ୟବିତ୍ତଙ୍କୁ ଏହି ସବୁ ସୁବିଧା ଯୋଗାଇ ଦେବାକୁ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।