ଯୁବକଙ୍କ କାର୍ ଧକ୍କାରେ ଦୁଇ ଆଇଟି ଇଞ୍ଜିନିଅରଙ୍କ ମୃତ୍ୟୁ । ୨୫ ବର୍ଷ ଯାଏଁ କାର୍ ଚଳାଇପାରିବେନି ଅଭିଯୁକ୍ତ ।

336

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରେ ଏଭଳି ଏକ ଘଟଣା ଘଟିଛି, ଯାହା କୌଣସି ସମ୍ବେଦନଶୀଳ ମନକୁ ଆହତ କରିବ । ଏଠାରେ ଜଣେ ୧୭ ବର୍ଷର ଯୁବକ ଲଗଜୁରୀ କାର ଚଳାଇବାବେଳେ ଦୁର୍ଘଟଣା ଘଟାଇବାରୁ ୨ଜଣ ଆଇଟି ଇଞ୍ଜିନିଅରଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଅନୀଶ ଅୱଧିୟ, ଓ ଅଶ୍ୱିନୀ କୋସ୍ତା । ଏହି ଘଟଣାରେ ଅଭିଯୁକ୍ତର ଗାଡି ସିଜ୍ କରାଯିବା ସହ ୨୫ ବର୍ଷ ଯାଏଁ କାର ଚଳାଇପାରିବେନି ବୋଲି ରହିତାଦେଶ ଜାରି କରିଛନ୍ତି ମହାରାଷ୍ଟ୍ର ଟ୍ରାନ୍ସପୋର୍ଟ କମିଶନର ବିବେକ୍ ଭିମନୱର ।

ତେବେ ଦୁର୍ଘଟଣା ଘଟାଇଥିବା କାର ଉପରେ ପୂର୍ବର ରେଜିଷ୍ଟ୍ରେସନ୍ ପାଉଣା ବାକି ଥିବା ଜଣାପଡିଛି । ଏହାସହ ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ଯୁବକ ଯେଉଁ ବାରରେ ମଦ୍ୟପାନ କରିଥିଲେ ସେଠାରୁ ତାଙ୍କ ନାଁରେ ୪୮ ହଜାର ଟଙ୍କାର ବିଲ୍ ଜବତ କରିଛି ପୋଲିସ । ଅନ୍ୟପଟେ ସବୁଠୁ କ୍ଷୋଭର ବିଷୟ ହେଉଛି, ଯୁବକ ଜଣକ ଏତେ ବଡ ଘଟଣା ଘଟାଇବା ପରେ ବି ମାତ୍ରି ୧୪ ଘଣ୍ଟା ପରେ ତାଙ୍କୁ ନାବାଳକ ହୋଇଥିବା ଆଧାରରେ ଛାଡିଦେଇଛି ପୋଲିସ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟିି କରିଛି ।