ଚୀନରେ କେତେ ସାଂଘାତିକ ସ୍ଥିତି? ଅଙ୍ଗେନିଭା କଥା କହିଲେ ଚୀନରେ ଥିବା ଓଡ଼ିଆ ଶିଳ୍ପପତି

451

କନକ ବ୍ୟୁରୋ: ଚୀନରେ କରୋନାର ସାଂଘାତିକ ସ୍ଥିତି ନେଇ ପ୍ରତିଦିନ ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ହେଲେ କରୋନାର ପ୍ରକୃତ ସ୍ଥିତି ନେଇ ଚୀନ୍ ସରକାର ମୁହଁ ଖୋଲୁ ନାହାନ୍ତି, ବରଂ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ଭରପୁର ଚେଷ୍ଟା କରୁଛନ୍ତି । ରଂଜିତ ପଟ୍ଟନାୟକ ଚୀନରେ ରହୁଥିବା ଜଣେ ଓଡ଼ତଆ ଶିଳ୍ପପତି । ସେ ଦୀର୍ଘବର୍ଷ ହେଲା ସାଂଘାଇରେ ରହିଆସୁଛନ୍ତି । କନକ ନ୍ୟୁଜକୁ ସାକ୍ଷାତକାରରେ ସେ କହିଛନ୍ତି ଯେ, କୋଭିଡ ସ୍ଥିତି ନେଇ ଚୀନର ଯେଉଁ ସାଂଘାତିକ ଦୃଶ୍ୟ ସବୁ ସାମ୍ନାକୁ ଆସୁଛି, ଏସବୁ ସତ । ବିଶେଷକରି ଉତର ଚୀନର ଅବସ୍ଥା ଏବେ ଅତି ଖରାପ ହୋଇପଡ଼ିଛି । ଯେଉଁସବୁ ଜାଗାରରେ ଅଧିକ ଥଣ୍ଡା ରହିଛି, ସେଠାରେ ସଂକ୍ରମଣ ଖୁବ୍ ଅଧିକ ଅଛି ।

ଚୀନରେ ସ୍ଥିତି ସାଘାଂତିକ ହୋଇପଡ଼ିଥିବା ବେଳେ ସେଠାରେ ରୋଗୀଙ୍କ ପାଇଁ ବେଡ୍ ଓ ଔଷଧର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଭାରତର ଔଷଧ କିଣୁଛନ୍ତି ଚାଇନାବାସୀ । ପୂର୍ବରୁ ଚୀନ ଲୋକେ ଭାରତର କୌଣସି ସାମଗ୍ରୀ କିଣିପାରିବେ ନାହିଁ ବୋଲି ସରକାରଙ୍କ କଡା ଚେତାବନୀ ରହିଛି, ଏହା ସ୍ୱତେ ଲୋକେ ଏବେ ଜୀବନ ବଂଚାଇବା ପାଇଁ ବେଆଇନ୍ ଭାବେ ଭାରତୀୟ ଔଷଧ କିଣିବା ଆରମ୍ଭ କରିଛନ୍ତି । ରଂଜିତ କହିଛନ୍ତି ଯେ, ଚୀନ୍ ଡାକ୍ତରମାନେ ଭାରତୀୟ ଟିକାକୁ ପ୍ରଶଂସା କରୁଛନ୍ତି । ଭାରତୀୟଙ୍କ ଶରୀରେ ଆଂଟିବଡି ତିଆରି ପ୍ରସଙ୍ଗ ନେଇ ସେମାନେ ଚର୍ଚ୍ଚା କରୁଥିବା ସେ କହିଛନ୍ତି ।

ସାରା ବିଶ୍ୱ ଯେତେବେଳେ ଟିକାକରଣ ଉପରେ ଗୁରୁତ୍ୱ ଦେଇଥିଲା, ଚୀନ୍ ସେତେବେଳେ ଜିରୋ କୋଭିଡ ନୀତି ଆପଣେଇଥିଲା । ଗୋଟିଏ ଜାଗାରେ କେହି ଜଣେ ସଂକ୍ରମିତ ହେଲେ, ପୁରା ଅଂଚଳକୁ ସିଲ କରିଦେଉଥିଲା ସ୍ଥାନୀୟ ପ୍ରଶାସନ । ଏପରିକି କାହାରକୁ ବାହାରକୁ ଛଡ଼ାଯାଉନଥିଲା । ଯିଏ ନିୟମ ନମାନିଲା, ପୁଲିସ୍ ଆସି ମାଡ଼ ମାରି ନିୟମ ମାନିବାକୁ ବାଧ୍ୟ କରୁଥିଲା । ହେଲେ ଦେଶ ବାହାରୁ ଓ ଭିତରୁ ସମାଲୋଚନା ପରେ ଜିରୋ କୋଭିଡ ନୀତିକୁ ହଟାଇ ନେଇଛି ଚୀନ୍ ।

ଚୀନରେ ଏବେ ଦିନକୁ ୧୦ ଲକ୍ଷ ସଂକ୍ରମଣ ଓ ୫ ହଜାର ମୃତ୍ୟୁ ହେଉଥିବା କୁହାଯାଉଛି । ହେଲେ ଏସବୁ ଭିତରେ ଜିନପିଙ୍ଗ ସରକାର କିଛି ଅଦଭୁତ ନିଷ୍ପତି ନେଇଛନ୍ତି । ଜାନୁଆରୀ ୮ରୁ ଆରଟିପିସିଆର ଟେଷ୍ଟ, କ୍ୱାରେଂଟିନକୁ ହଟାଯିବ ବୋଲି ଚୀନ୍ ସରକାର କହିଛି ।