ଭାରତରେ ଦିଆଯିବ କି ଦ୍ୱିତୀୟ ବୁଷ୍ଟର ଟିକା? ଆମେରିକା ଓ ବ୍ରିଟେନରେ ଦିଆଗଲାଣିି ଚତୁର୍ଥ ଡୋଜ୍

252

କନକ ବ୍ୟୁରୋ: ଚୀନରେ କରୋନା ତାଣ୍ଡବ ରଚିଥିବା ବେଳେ ଭାରତ ସତର୍କ ହୋଇପଡ଼ିଛି । ହେଲେ ଏବେ ବଡ଼ ପ୍ରଶ୍ନ । ଭାରତରେ ପୁଣି ଥରେ ସଂକ୍ରମଣ ବଢ଼ିଯିବ କି? ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ କହିବା କଥା ହେଲା, ଜାନୁଆରୀ ମାସରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ । ଆଗାମୀ ୪୦ ଦିନ ଭାରତ ପାଇଁ ଗୁୁରୁତ୍ୱପୂର୍ଣ୍ଣ । ପୂର୍ବ ଏସିଆରେ ନୂଆ ଲହର ଆସିଲେ, ଏହାର ପ୍ରଭାବ ୩୦ରୁ ୩୫ ଦିନ ପରେ ଭାରତରେ ଅନୁଭୂତ ହୋଇଥାଏ । ଏହି ଆଧାରରେ ଜାନୁଆରୀ ସଂକ୍ରମଣ ବଢ଼ିବ ବୋଲି ଆକଳନ କରାଯାଉଛି । ତେବେ ଏହି ଆକଳନରେ କୁହାଯାଇଛି ଯେ, ଭାରତରେ ଚୀନ ଭଳି ସ୍ଥିତି ହେବ ନାହିଁ । ଯଦି ବି ସଂକ୍ରମଣ ବଢ଼ିଯାଏ ତାହାହେଲେ ହସ୍ପିଟାଲରେ ରୋଗୀ ଭର୍ତି ସଂଖ୍ୟା କମ୍ ରହିବ । ଏହାସହ କୋଭିଡରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିବ । ଆଇଆଇଟି କାନପୁର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଭାରତରେ ସଂକ୍ରମଣ ସଂଖ୍ୟା ବଢ଼ିପାରେ । ହେଲେ ଏହାକୁ ନେଇ ଭାରତରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ସଂକ୍ରମଣ ଆଶଙ୍କା ବଢ଼ିବା ସହ ବୁଷ୍ଟର ଡୋଜକୁ ନେଇ ଚର୍ଚ୍ଚା ବଢ଼ିଛି । ବିଶେଷକରି ଭାରତରେ ଚତୁର୍ଥ ଡୋଜ୍ ଟିକା ଦିଆଯିବା ଆବଶ୍ୟକ କି ନୁହେଁ, ଏହାକୁ ନେଇ ଅନୁଧ୍ୟାନ କରାଯାଉଛି । କାରଣ ଆମେରିକା ଓ ବ୍ରିଟେନରେ ଚତୁର୍ଥ ବୁଷ୍ଟର ଡୋଜ୍ ଦିଆଗଲାଣି । ଭାରତରେ ଅଧିକାଂଶ ଲୋକ ପ୍ରଥମ ଦୁଇଟି ଡୋଜ୍ ନେଇଥିଲା ବେଳେ ତୃତୀୟ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା କମ୍ । ମାତ୍ର ୩୦ ପତିଶତ ତୃତୀୟ ଟିକା ନେଇଥିବା କୁହାଯାଉଛି । ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଡ. ଜେଏ ଜୟଲାଲ ଚତୁର୍ଥ ଡୋଜ୍ ସପକ୍ଷରେ ମତ ଦେଇଛନ୍ତି । ତାଙ୍କ କହିବା କଥା ହେଲା ସ୍ୱାସ୍ଥ୍ୟ କର୍ମଚାରୀମାନେ ସଂକ୍ରମିତ ଲୋକଙ୍କ ଚିକିତ୍ସା କଲାବେଳେ ନିଜେ ସଂକ୍ରମିତ ହୋଇପଡ଼ିବାର ଆଶଙ୍କା ରହିଛି । ତେଣୁ ସେମାନଙ୍କ ପାଇଁ ଅତିରିକ୍ତ ପ୍ରତିଷେଧକ ଟିକା ଦରକାର । ସେପଟେ ପୁନେସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚର ବ÷ଜ୍ଞାନିକ ସତ୍ୟଜିତ୍ ରଥଙ୍କ ମତ ହେଲା, ଭାରତରେ ଚୀନ୍ ଭଳି ସ୍ଥିତି ଉପୁଜିବାର ଆଶଙ୍କା କମ୍ । ଏହାସହ ଭାରତରେ ଚୀନ୍ ତୁଳନାରେ ଟିକାକରଣ ମଧ୍ୟ ଭଲ ରହିଛି । ତେଣୁ ଭାରତରେ ଏବେ ଚତୁର୍ଥ ଟୀକାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଅତ୍ୟନ୍ତ ବୟସ୍କ ଓ କମ୍ ଇମ୍ୟୁନିଟି-ଯୁକ୍ତ ଲୋକମାନେ ଚତୁର୍ଥ ଡୋଜ୍ ନେବା ଆବଶ୍ୟକ ବୋଲି କହିଛନ୍ତି । ହେଲେ ଏନେଇ ନିଷ୍ପତି ନେବା ଆଗରୁ ଅଧିକ ଅନୁଧ୍ୟାନ ଜରୁରୀ ବୋଲି ସେ ମତ ଦେଇଛନ୍ତି ।

ଦେଶରେ ଏବେ ୩ ହଜାର ୫୫୨ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ୬ଟି ଦେଶ, ଚୀନ୍, ଥାଇଲାଣ୍ଡ, ସିଙ୍ଗାପୁର, ହଂକଂ, ଜାପାନ ଓ ଦକ୍ଷିଣ କୋରିଆରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ନୂଆବର୍ଷରୁ ବାଧ୍ୟତାମୂଳକ ।