ଆଣ୍ଡାମାନରୁ ଓଡିଶା, ସମୂଦ୍ର ଭିତରେ ୨୮ ଦିନର ସଂଘର୍ଷ । ଆଣ୍ଡାମାନରୁ ଭାସି ଆସି ପୁରୀରେ ଲାଗିଲେ ନାବିକ ଅମିତ କୁଜୁର । କନକ ନ୍ୟୁଜ କ୍ୟାମେରାରେ କହିଲେ ସମୁଦ୍ର ଭିତରେ ସଂଘର୍ଷର କାହାଣୀ ।

589

କନକ ବ୍ୟୁରୋ : ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା କହିବାକୁ ଯାଉଛୁ ତାହା କୌଣସି ରୋମାଂଚକର ସିନେମା କାହାଣୀଠୁ କମ୍ ନୁହେଁ । ସାମୁଦ୍ରିକ ଝଡରେ ଫସିଯିବା ପରେ ନାବିକ କେମିତି ଦିନ ଦିନ ଧରି ଜୀବନ ସଂଗ୍ରାମ କରିଛନ୍ତି ତାହା ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏହାରି ଭିତରେ ଜଣେ ନାବିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନାବିକ ଅତିଗୁରୁତର ଅବସ୍ଥାରେ ପହଂଚିଥିଲେ ଓଡିଶା ଉପକୂଳରେ । ନାବିକ ଅମିତ କୁଜୁରଙ୍କ ଆଣ୍ଡାମାନରୁ ଓଡିଶା ଭାୟା ବର୍ମା ଯାତ୍ରା ପାଇଁ ଥିଲା ଅତି ଭୟଙ୍କର ।

ସମୁଦ୍ର ଭିତରେ ଝଡ ଆଉ ତା’ଭିତରେ ଫସିଯାଇଥାଏ ଏକ ଡଙ୍ଗା । ଜୀବନ ବଂଚାଇବାକୁ ଚେଷ୍ଟା କରୁଥାନ୍ତି ଦୁଇ ଯୁବକ । ଅଗଷ୍ଟ ୨୮ ତାରିଖ, ୨୦୧୯ । ପୋର୍ଟ ବ୍ଲେୟାରରୁ ମାଛମରା ଡଙ୍ଗାରେ ବାହାରିଥିଲେ ଅମିତ କୁଜୁର ଓ ତାଙ୍କର ଜଣେ ସାଥୀ ନାବିକ । ନୀଳ ଦ୍ୱୀପକୁ ଯାତ୍ରା କରୁଥିବା ବେଳେ ବାଟରେ ସାମୁଦ୍ରିକ ଝଡରେ ଫସିଯାଇଥିଲା ଅମିତଙ୍କ ଡଙ୍ଗା । ଫଳରେ ସେମାନେ ବାଟବଣା ହୋଇଯାଇଥିଲେ । ଝଡକୁ ଏଡାଇ ଏଡାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ପହଂଚି ଯାଇଥିଲେ ବର୍ମାରେ । କିନ୍ତୁ ଏହାରି ଭିତରେ ବିତିଯାଇଥିଲା ଦୀର୍ଘ ୧୫ ଦିନ ।

ଝଡ ନେଇଗଲା ସାଥିର ଜୀବନ । ଆସିଥିଲେ ଦୁଇଜଣ ପହଂଚିଲେ ଜଣେ । ସାମୁଦ୍ରିକ ଝଡ ଭିତରେ ବଂଚିବାକୁ ଉଦ୍ୟମ କରୁଥିବା ବେଳେ ଦିନ ଦିନ ଧରି ଚାଲିଥିଲା ଜଳଯାତ୍ରା । ପ୍ରତିକୂଳ ପରିବେଶ ସହ ସରିଯାଉଥାଏ ଖାଦ୍ୟ ଓ ପାନୀୟ ଜଳ । ଦୀର୍ଘ ଅସୁସ୍ଥତା କାରଣ ସମୁଦ୍ର ଭିତରେ ପ୍ରାଣ ହରାଇଥିଲେ ସାଥି ନାବିକ । ଦୁଇ ଦିନ ଧରି ଶବକୁ ଡଙ୍ଗାରେ ଧରି ଚାଲିଥିଲେ ଅମିତ, ହେଲେ ଏଥିରୁ ଦୁର୍ଗନ୍ଧ ବାହାରିବାରୁ ବାଧ୍ୟ ହୋଇ ତାକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ ।

ନିଜ ଘରକୁ ଫେରିବାକୁ ଯାତ୍ରା ଆରମ୍ଭ କରିଥିଲେ ଅମିତ, କିନ୍ତୁ ପୁଣି ଥରେ ସାମୁଦ୍ରିକ ଝଡରେ ଫସିଯାଇଥିଲେ ଅମିତ । ଏଥର ଜୋର ପବନର ମାଡରେ ଦୀର୍ଘ ଦିନ ଧରି ସମୁଦ୍ରରେ ଭାସି ଭାସି ଆସି ବ୍ରହ୍ମଗିରି କୂଳରେ ଲାଗିଥିଲା ତାଙ୍କର ଡଙ୍ଗା । ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଅମିତ ଖୁଜୁର । ଏପଟେ ତାଙ୍କୁ ଘରକୁ ଫେରାଇବା ନେଇ ପଦକ୍ଷେପ ନେଉଛି ପୁରୀ ଜିଲ୍ଲା ପ୍ରଶାସନ ।

ଦୀର୍ଘ ୨ ମାସ ଧରି ଘରେ ନାହାନ୍ତି ଅମିତ । ତାଙ୍କୁ ନେଇ ଚିନ୍ତାରେ ଅଛନ୍ତି ପତ୍ନୀ ଓ ତିନି ଝିଅ । ଏବେ ସେମାନଙ୍କୁ ମିଳିଛି ଆଶ୍ୱସ୍ତି । ଅମିତ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି । ଖୁବ୍ ଶୀଘ୍ର ଘରକୁ ଫେରି ଆସିବେ ବୋଲି ଆଶା ରଖିଛନ୍ତି ପରିବାର ଲୋକେ । ସମୁଦ୍ର ଭିତରେ ଏଭଳି ଏକ ଅଘଟଣ ପରେ କିନ୍ତୁ ବଂଚିଯାଇଛି ଅମିତଙ୍କ ଜୀବନ । ଆଉ ଓଡିଶା ଉପକୂଳରେ ତାଙ୍କ ଡଙ୍ଗା ଲାଗିବା ପରେ ସବୁକିଛି ଧିରେ ଧିରେ ଠିକ୍ ହେବାକୁ ଯାଉଛି ।