ହନିଟ୍ରାପ୍ ଅଭିଯୋଗ । ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ କଟକର ଯୁବତୀ । ବିଶ୍ୱାସ ଜନ୍ମାଇ ଯୁବତୀଙ୍କୁ ହରିଲୁଟ କଲେ ସାଇବର ଠକ ।

366

କନକ ବ୍ୟୁରୋ: କଟକର ଜଣେ ଯୁବତୀ ହନିଟ୍ରାପର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ । ଯୁବତୀଙ୍କୁ ଉପହାର ପଠାଇବା ଆଳରେ ଚୂନା ଲଗାଇଛି ସାଇବର ଠକ । କଟକର ଯୁବତୀଙ୍କ ପାଖରୁ ପାଖାପାଖି ୮ ଲକ୍ଷ ଟଙ୍କା ଠକି ନେଇଛି ଦୁର୍ବୃତ୍ତ । ଏନେଇ ଠକେଇର ଶିକାର ଯୁବତୀ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • କଟକରେ ହନିଟ୍ରାପ
  • ୮ ଲକ୍ଷ ଠକିନେଲା ବିଦେଶୀ ବର

ଇନଷ୍ଟାଗ୍ରାମରେ ପରିଚୟ ପରେ ବନ୍ଧୁତାରୁ ପ୍ରେମ । ଆଉ ତାପରେ ହ୍ୱାଟସଆପରେ ଚାଟ୍ ପରେ କଥା ପ୍ରେମରୁ ବିବାହ ଯାଏଁ ଯାଇଥିଲା । ଏହାପରେ ଉପହାର ପଠାଇ କଷ୍ଟମ ଡ୍ୟୁଟି ବାବଦକୁ ଯୁବତୀଙ୍କ ଆକାଉଣ୍ଟକୁ ଖାଲି କରି ସଂପର୍କ କାଟି ଦେଇଛି ଦୁର୍ବୃତ୍ତ । ଏହା କୌଣସି ଧୋକାବାଜ ପ୍ରେମିକର କାହାଣୀ ନୁହେଁ, ଜଣେ ସାଇବର ଠକର ଠକେଇ ପ୍ଲାନ । କଟକ ବିଡାନାସୀ ଅଞ୍ଚଳର ଜଣେ ଯୁବତୀ ଏହି ହନିଟ୍ରାପର ଶିକାର ହେବା ପରେ ଏବେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସାଇବର ଠକର ନାମ ଅହମ୍ମଦ ଡାନିଏଲ, ଘର ସ୍କଟଲାଣ୍ଡ ଓ ବୃତ୍ତି ଲଣ୍ଡନରେ ଜାହାଜ ଇଞ୍ଜିନିୟର । ଏଭଳି ପରିଚୟ ଦେଇ ଜାଲ ବିଛାଇଥିଲା ସାଇବର ଠକ । ଆଉ ବିଡାନାସୀ ଅଞ୍ଚଳର ଯୁବତୀଙ୍କ ସହ ପରିଚୟ ପରେ, ପ୍ରେମ ନିବେଦନ ଓ ପରେ ବିବାହ ପ୍ରତିଶ୍ରୁତି ଦେଇଥିଲା ଦୁର୍ବୃତ୍ତ । ବିବାହ ପରେ ଲଣ୍ଡନରେ ରହିବାର ଲୋଭନୀୟ ସ୍ୱପ୍ନ ବି ଦେଖାଇଥିଲା । ଯୁବତୀଙ୍କୁ ସୁନା, ବ୍ୟାଗ୍, ସ୍ୟାଣ୍ଡଲ, ଡଲାର୍ ଉପହାର ପଠାଇଥିବା କହି ଏକ ଭିଡିଓ ମଧ୍ୟ ପଠାଇଥିଲା । ଉପହାରକୁ ବିମାନବନ୍ଦରରେ କଷ୍ଟମ୍ ଅଧିକାରୀ ଧରିନେଇଛନ୍ତି ଆଉ ତାଙ୍କଠାରୁ ରିଲିଜ୍ ପାଇଁ ୭ ଲକ୍ଷ ୯୫ ହଜାର ଟଙ୍କା ପଠାଇବାକୁ କହିଥିଲେ ଡାନିଏଲ୍ । ଯୁବତୀ ୪ ଟି ବ୍ୟାଙ୍କ ଆକାଉଣ୍ଟରେ ବିଭିନ୍ନ ପର୍ଯ୍ୟାୟରେ ଏହି ଟଙ୍କା ପଠାଇଥିଲେ ।

ଏହି ଠକେଇ ଘଟଣାରେ ଅଭିଯୁକ୍ତକୁ ଧରିବା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ କାରଣ

  • ଡାନିଏଲ ଅହମ୍ମଦ ନାଁରେ ଜାଲ ଇନଷ୍ଟାଗ୍ରାମ ଆକାଉଣ୍ଟ
  • ଇନଷ୍ଟାଗ୍ରାମକୁ ଚିଠି ଲେଖି ଠକର ଠିକଣା ବାବଦରେ ଜାଣିବାକୁ ପୁଲିସ ଉଦ୍ୟମ କରିଛି
  • କମ୍ପୁଟର ଜେନେରେଟ ନମ୍ବରରୁ କଲ କରିଥିବାରୁ, କଲ ନମ୍ବରରୁ ଠକ ପାଖରେ ପହଞ୍ଚିବା ସହଜ ହେବନି
  • ବ୍ୟାଙ୍କ ଆକାଉଣ୍ଟଗୁଡିକ ଭାରତ ଭିତରର ହୋଇଥିବାରୁ ବ୍ୟାଙ୍କକୁ ଚିଠି ଲେଖିଛି ପୁଲିସ

ହନିଟ୍ରାପ ଶିକାର ହୋଇଥିବା କଟକ ବିଡାନାସୀ ଅଞ୍ଚଳର ଯୁବତୀ ଏକ ଘରୋଇ କମ୍ପାନୀରେ ପାର୍ଟ ଟାଇମ୍ କାମ କରନ୍ତି । ବାପା- ମାଆଙ୍କ ଦେହାନ୍ତ ପରେ ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲା । ବାପାଙ୍କ ଆକାଉଣ୍ଟରେ କିଛି ଟଙ୍କା ଥିଲା । ସୋସିଆଲ ସାଇଟରେ ବିଦେଶୀ ବର ଫାଶରେ ପଡି ସେ ଏବେ ସବୁ ଟଙ୍କା ହରାଇଛନ୍ତି ।