ଅବକାରୀ ଦୁର୍ନୀତି ମାମଲାରେ ଇଡିର ଦ୍ୱିତୀୟ ରେଡ୍ । ତିହାର ଜେଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜେରା

83

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଚଢାଉ କରାଯାଇଛି । ଗତକାଲି ବିଜେପି ତରଫରୁ ଏନେଇ ଏକ ଷ୍ଟିଙ୍ଗ ଅପରେସନ ଭିଡିଓ ଜାରି କରାଯାଇଥିଲା । ଏହି ଭିଡିଓରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦୁର୍ନୀତି କରିଥିବା ବିଜେପି ଦାବି କରିଛି । ଏହାପରେ ସିସୋଦିଆ କହିଥିଲେ ତାଙ୍କ ଘରେ ରେଡ୍ ବେଳେ ସିବିଆଇକୁ କିଛି ମିଳିନି । ଆଉ ସାହାସ ଅଛି ଯଦି ୪ ଦିନ ଭିତରେ ତାଙ୍କୁ ଗିରଫ କରାଯାଉ । ନଚେତ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ । ଏବେ ଏହି ବୟାନକୁ ୨୪ ଘଂଟା ନପୂରୁଣୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ରେଡ୍ କରିଛି । ଅର୍ଥ ହେରଫେରକୁ ନେଇ ଦେଶର ୬ଟି ରାଜ୍ୟରେ ଚଢଉ କରିଛି ଇଡି ।

ଆନ୍ଧ୍ରପ୍ରଦେଶର ନେଲ୍ଲୋର ସମେତ, କର୍ଣ୍ଣାଟକ, ତାମିଲନାଡୁ ଦିଲ୍ଲୀ ଏନସିଆର ଅଂଚଳର ଏକକାଳୀନ ୪୦ଟି ସ୍ଥାନରେ ଇଡି ପକ୍ଷରୁ ରେଡ ହୋଇଛି । ସେଥିମଧ୍ୟରୁ ୨୦ଟି ସ୍ଥାନ ହେଉଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ । ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍, ଏବଂ ସପ୍ଲାଏ ଚେନ୍ ନେଟୱାର୍କ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଘରେ ଚଢାଉ କରିଛି ଇଡି । ସେପଟେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପଚରାଉଚରା କରିବା ପାଇଁ ତିହାର ଜେଲରେ ପହଂଚିଛି ଇଡି । ପୂର୍ବରୁ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ସତ୍ୟେନ୍ଦ୍ର ଜୈନ୍ । ଏହି ଅବକାରୀ ଦୁର୍ନୀତିରେ ଶାସକ ଦଳର ଅନେକ ନେତା ସ୍କାନରରେ ରହିଛନ୍ତି । ତେଣୁ ଜୈନଙ୍କଠୁ କିଛି ନୂଆ ତଥ୍ୟ ଜାଣିବାକୁ ଜେରା କରିଛି ସିବିଆଇ ।

ଅନ୍ୟପଟେ ବିଜେପି ଜାରି କରିଥିବା ଷ୍ଟିଙ୍ଗ୍ ଅପରେସନକୁ ସିବିଆଇ ନେଇଛି । ଭିଡିଓର ସତ୍ୟତା ଯାଂଚ କରି ଏବେ ତଦନ୍ତ କରୁଛି ।