ସଫଳ ହେଉଛି ଆତ୍ମନିର୍ଭର ଭାରତ ଅଭିଯାନ । ପ୍ରତିରକ୍ଷା କ୍ଷେତ୍ରରେ ନୌସେନାର ଐତିହାସିକ ସଫଳତା ।

85

କନକ ବ୍ୟୁରୋ: ଆତ୍ମନିର୍ଭର ଭାରତ ଅଭିଯାନରେ ଐତିହାସିକ ସଫଳତା ହାସଲ କରିଛି ପ୍ରତିରକ୍ଷା ବିଭାଗ । ଭାରତୀୟ ନୌସେନାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ୍ ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିୟରରେ ଲ୍ୟାଣ୍ଡ କରିବା ସହ ଉଡାଣ ଭରିଛି ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ ମିଗ୍-୨୯କେ । ଏହି ମିଗ୍-୨୯କେ ଜେଟ୍ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏଥିରେ ଉଡାଣ ଭରିଛନ୍ତି ଭାରତୀୟ ନୌସେନାର ଦକ୍ଷ କମାଣ୍ଡର । ଆତ୍ମନିର୍ଭର ଭାରତ କ୍ଷେତ୍ରରେ ନୌସେନାର ଏହା ଏକ ଐତିହାସିକ ସଫଳତା ।

  • ବିଶ୍ୱ ଦରବାରରେ ବଢିବ ଭାରତର ଦବଦବା
  • ପ୍ରଶାନ୍ତ ମହାସାଗରରେ ଚୀନକୁ ଦେବ ଟକ୍କର

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମୁଦ୍ରରେ ମନମାନି ଚଳାଉଥିବା ଚୀନକୁ ଚେକ୍ ଦେବ ଭାରତ । ଆଇଏନଏସ୍ ବିକ୍ରାନ୍ତ ଯୁଦ୍ଧବିମାନ ବାହକ ସାଙ୍ଗକୁ ସେଠାରୁ ଲ୍ୟାଣ୍ଡ ଏବଂ ଟେକଅଫ୍ କରିପାରୁଥିବା ସ୍ୱଦେଶୀ ହାଲୁକା ଯୁଦ୍ଧବିମାନ ଶତ୍ରୁ ପକ୍ଷକୁ ମାତ ଦେବାରେ ସମର୍ଥ ହେବ ବୋଲି କୁହାଯାଉଛି । ୪୦ ହଜାର ଟନ୍ ଓଜନର ଆଇଏନଏସ୍ ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିୟର ଇତିହାସ ବହୁ ପରୁଣା ।

  • ଆଇଏନଏସ୍ ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିୟରର ଇତିହାସ
  • ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ଏୟାରକ୍ରାଫ୍ଟ କ୍ୟାରିୟରର ନିର୍ମାଣ ଆରମ୍ଭ ହୋଇଥିଲା
  • ଭାରତ ପାଇଁ ବ୍ରିଟେନ୍ ଏହି ଏୟାରକ୍ରାଫ୍ଟ କ୍ୟାରିୟର ତିଆରି କରୁଥିଲା
  • ୧୯୫୭ରେ ଅର୍ଦ୍ଧନିର୍ମିତ ଆଇଏନଏସ୍ ବିକ୍ରାନ୍ତଙ୍କୁ ଭାରତକୁ ଦେଇଥିଲା ବ୍ରିଟେନ୍
  • ପରେ କେରଳରେ କୋଚିନ୍ ଜାହାଜ କାରଖାନାରେ ଏହାକୁ ନିର୍ମାଣ କରାଯାଇଥିଲା
  • ୧୯୯୯ରେ ଏହି ଏୟାରକ୍ରାଫ୍ଟ କ୍ୟାରିୟରର ନକ୍ସା ପ୍ରସ୍ତୁତ ହୋଇଥିଲା
  • ୨୦୦୯ରେ ଏହି ଏୟାରକ୍ରାଫ୍ଟ କ୍ୟାରିୟରର ତଳି ପଡିଥିଲା
  • ଅଗଷ୍ଟ ୨୦୧୩ରେ ଆଇଏନଏସ୍ ବିକ୍ରାନ୍ତର ଶୁଭାରମ୍ଭ ହୋଇଥିଲା
  • ୨୦୨୦ରେ ସମୁଦ୍ରରେ ଆଇଏନଏସ୍ ବିକ୍ରାନ୍ତର ପ୍ରଥମ ଟ୍ରାଏଲ କରାଯାଇଥିଲା
  • ୨୦୨୩ରେ ପ୍ରଥମ ଥର ପାଇଁ ବିକ୍ରାନ୍ତରୁ ଉଡିଲା ଯୁଦ୍ଧ ବିମାନ
  • ଏୟାରକ୍ରାଫ୍ଟ କ୍ୟାରିୟର ନିର୍ମାଣ ପାଇଁ ଖର୍ଚ୍ଚ ୨୧,୩୪୧ କୋଟି ଟଙ୍କା

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଥିବା ଭାରତକୁ ଦେଖି କେବଳ ପାକିସ୍ତାନ ନୁହେଁ ଚୀନ ମଧ୍ୟ ଚିନ୍ତାରେ ପଡିଯାଇଛି । ଏପଟେ ଚୀନକୁ ଚେକ୍ ଦେବାକୁ ସବୁଆଡୁ ଚେଷ୍ଟା ଚଳାଇଛି ଭାରତ ।