ବିବାଦ ଭିତରେ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଶପଥ ନେଲେ ଏଲ୍ ଭିକ୍ଟୋରିଆ ଗୌରୀ ।

63

କନକ ବ୍ୟୁରୋ: ବହୁ ବିବାଦ ପରେ ଶେଷରେ ମାଡ୍ରାସ ହାଇକୋର୍ଟ ଜଜ୍ ଭାବେ ଶପଥ ନେଇଛନ୍ତି ଏଲ୍ ଭିକ୍ଟୋରିଆ ଗୌରୀ । ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଏଲ୍ ଭିକ୍ଟୋରିଆ ଗୌରୀଙ୍କୁ ପଦୋନ୍ନତି ପରେ ଏହାକୁ ବିରୋଧ କରି କିଛି ଓକିଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ନିଯୁକ୍ତିକୁ ବିରୋଧ କରିଥିବା ଦୁଇ ଆବେଦନକାରୀଙ୍କ ଅଭିଯୋଗର ଶୁଣାଣି କରି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି । ବିଚାରପତି ସଂଜୀବ ଖାନ୍ନା ଓ ବିଚାରପତି ବିଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ମାଡ୍ରାସ ହାଇକୋର୍ଟର କିଛି ଓକିଲ ତାଙ୍କ ପିଟିସନରେ କହିଥିଲେ ଯେ ଭିକ୍ଟୋରିଆ ଏହି ପଦ ପାଇଁ ଯୋଗ୍ୟ ନୁହଁନ୍ତି ।

ସୂଚନାଯୋଗ୍ୟ, ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଓ ରାଜୁ ରାମଚନ୍ଦ୍ରନ ପ୍ରମୁଖ ଗୌରୀଙ୍କ ପ୍ରସ୍ତାବିତ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗୌରୀ ଜଣେ ବିଜେପି କାର୍ଯ୍ୟକର୍ତା ବୋଲି ଅଭିଯୋଗ ହୋଇଥିଲା । ଗୌରୀଙ୍କ ବିରୋଧରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେବାର ମଧ୍ୟ ନଜିର ରହିଛି ଅଭିଯୋଗ ଆଣିଥିଲେ କିଛି ଓକିଲ । ସେଥିପାଇଁ ତାଙ୍କୁ ହାଇକୋର୍ଟର ବିଚାରପତି ନକରାଯିବାକୁ ଓକିଲମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ସବୁ ଆବେଦନକୁ ଖାରଜ କରିବା ପରେ ଗୌରୀ ବିଚାରପତି ଭାବେ ଶପଥ ନେଇଛନ୍ତି ।