ଶେଷ ହେଲା ଜୀବନ-ମୃତ୍ୟୁର ସାପ ଶିଢି ଖେଳ । ଲିଭିଗଲା ୩ଟି ଜୀବନ, ଛାରଖାର ହୋଇଗଲା ୪ଟି ପରିବାର ।

678

କନକ ବ୍ୟୁରୋ: ମାଆକୁ ବୁଝେଇ ହେଉନି, ମାଆ ମଥା ପିଟି କାନ୍ଦୁଛି ଯେ କାନ୍ଦୁଛି । ମେଡିକାଲରୁ ଘର ତା ଆଖିରୁ ଲୁହ ଶୁଖୁନି କି ସେ ନିଜକୁ ବୁଝେଇ ପାରୁନି । ଯେ, ତା ପୁଅ ଆଉ ନାହିଁ ବୋଲି… ହେଇ ଦେଖୁ ନାହାନ୍ତି ଆଧାର କାର୍ଡରେ ଥିବା ଫଟୋକୁ ଦେଖାଇ କେମିତି ‘ମୋ ଦୀଲିପ ହେଇଟି’ ବୋଲି କହୁଛି…

ହାଇଟେକ୍ ହରର କୁହନ୍ତୁ କି ହାଇଡ୍ରାମା । ଜୀବନ-ମୃତ୍ୟୁର ଏ ସାପଶିଢି ଖେଳ ଭିତରେ କିନ୍ତୁ ଏ ଘର ଅଗଣାରୁ ତିନି ତିନିଟି ମୃତଦେହ ମଶାଣୀ ମୁହାଁ ହୋଇଛି । ପୂର୍ବରୁ ନିଜ ପୁଅ ଭାବି ଜ୍ୟୋତିରଞ୍ଜନଙ୍କ ଶବର ସଂସ୍କାର ହେଇଛି, ପରେ ପରେ ନିଜ ବୋହୂର ଆତ୍ମହତ୍ୟା ବି ଏଇ ଆଖି ଦେଖିଛି । ଆଉ ଏବେ ଯେତେବେଳେ ନିଜ ଜନ୍ମକଲା ପୁଅର କୋକେଇ ତା ଆଖି ଆଗରେ ଉଠୁଛି କେଉଁ ମାଆ ନିଜକୁ ସମ୍ଭାଳିବ କହିଲେ । ତେଣୁ ପାଗେଳିପ୍ରାୟ ହୋଇଯାଇଛି ମାଆ ।

ସେପଟେ କାନ୍ଥରୁ ଲିଭିନି ଶୁଭ ବାହାଘରର ଲେଖା । କେମିତି ଲିଭିବ ଯେ, ବାହାଘରକୁ ପରା ମାତ୍ର ବର୍ଷେ ୮ ମାସ ହେଇଥିଲା । ହେଲେ ଯେଉଁମାନଙ୍କ ପାଇଁ ଲେଖା ହୋଇଥିଲା ସେମାନେ ଆଜି ନାହାନ୍ତି । କାନ୍ଥରେ ଲେଖା ରହିଛି ସତ କିନ୍ତୁ ସେ ଦୁହିଁଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଛି । ଦିଲୁ ୱେଡସ ସୋନା ଖାଲି କାନ୍ଥରେ ନୁହେଁ କୋକେଇରେ ବି ଆଗପଛ ହୋଇ ମଶାଣୀ ଯାଇଛନ୍ତି । ଓଃ ଜୀବନ-ମୃତ୍ୟୁ ଓ ସମ୍ପର୍କର ଏ ଜଟିଳ ଗଣିତ ସତରେ ହୃଦୟବିଦାରକ ।

୨୯ ଡିସେମ୍ବରରେ ହାଇଟେକ୍ ହସ୍ପିଟାଲର ଅଘଟଣ ଓ ତାପରେ ଜୀବିତ-ମୃତକୁ ନେଇ ଦ୍ୱନ୍ଦ୍ୱର ଗଣିତ କାହା ପାଇଁ କଣ ହୋଇପାରେ କିନ୍ତୁ ଚାରି ଚାରିଟି ପରିବାର ପାଇଁ ବେଶ ଯନ୍ତ୍ରଣାଦାୟକ । ହୁଏତ ଦ୍ୱନ୍ଦ୍ୱର ଦାଗ ଦିନ କେଇଟା ପରେ ଲିଭିଯିବ ଆଉ ଲୋକେ ଏ ଘଟଣାକୁ ଭୁଲିଯିବେ ହେଲେ ଏହି ଦ୍ୱନ୍ଦ୍ୱ ଯେଉଁ ଦରଜ ଦେଇଯାଇଛି ତାହା କେବେ କମିବନି ୪ଟି ପରିବାର ମନରୁ… ଆଶା କରିବା ଏ ଘଟଣାର ପୁନରାବୃତ୍ତି ଯେମିତି ଅନ୍ୟ କେଉଁଠି ନହେଉ…