ଶୀତ ଦେଉଛି ଥାର୍ଡ ଡିଗ୍ରୀ । ଦିନବେଳା ଚଳିଯାଉଛି ସଞ୍ଜ ନଇଁଲେ ମାଡି ଆସୁଛି ଭୟଙ୍କର ଜାଡ, ଥରୁଛି ପୂରା ଓଡିଶା

352

କନକ ବ୍ୟୁରୋ : ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ସଞ୍ଜ ନଇଁଲା ବେଳକୁ ଶୀତରେ ଥରୁଛନ୍ତି ଲୋକେ । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତରୁ ଲୋକଙ୍କୁ ମିଳୁନାହିଁ ନିସ୍ତାର । ରାଜ୍ୟର ଅନେକ ସ୍ଥାନରେ ତୁଷାରପାତ ହେଉଥିବାର ମଧ୍ୟ ସୂଚନା ରହିଛି । ସକାଳଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଥରୁଛନ୍ତି ସମସ୍ତେ । ଖରାରେ ଛିଡା ହୋଇ କଷ୍ଟେ ମଷ୍ଟେ ଲୋକ ଦିନବେଳା କାଟୁଛନ୍ତି । କିନ୍ତୁ ସନ୍ଧ୍ୟା ହେଲେ ଆଉ ନିସ୍ତାର ନାହିଁ । ଜାଡ ମାଡିଆସୁଛି । ସ୍ଥିତି ଏମିତି ହେଲାଣି ଯେ, ଲୋକମାନେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

ତାପମାତ୍ରା ଗୋଟିଏ ଦିନରେ ୪ ରୁ ୫ ଡିଗ୍ରୀ ତଳକୁ ଖସି ଆସିଛି । ବର୍ତମାନ ୧୫ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩ ଦଶମିକ ୪ ଡିଗ୍ରୀ ରହିଛି । ଅନ୍ୟପଟେ ଥଣ୍ଡାର ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ନିରାଶ୍ରୟଙ୍କ ଆଶ୍ରୟ ପାଇଁ ରାତିରେ ପଂଚାୟତ ଘର, ସ୍କୁଲ, ତହସିଲ ଅଫିସ ଖୋଲା ରଖିବାକୁ ଆଡଭାଇଜରୀ ବି ଜାରି କରିଛନ୍ତି ଏସଆରସି । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଯେ, ଆହୁରି ଥରାଇବ ଶୀତ । ତେବେ ରାଜ୍ୟରେ କେବେ ଶୀତ ଲହରୀ କମିବ ତାହାକୁ ଚାତକ ପରି ଚାହିଁ ବସିଛନ୍ତି ଲୋକେ ।