ପାରଦ ଛୁଇଁପାରେ ୪୬ ଡିଗ୍ରୀ । ଆସନ୍ତା ଦୁଇ ଦିନ ଭୀଷଣ ଗ୍ରୀଷ୍ମ ଲହରୀ ନେଇ ଚେତାବନୀ । ରେଡ୍ ଆଲର୍ଟ ଜାରି କରି ସତର୍କ କଲା ଆଂଚଳିକ ପାଣିପାଗ କେନ୍ଦ୍ର

228

କନକ ବ୍ୟୁରୋ : ସକାଳୁ ସକାଳୁ ଖରାର ପ୍ରକୋପ ଆରମ୍ଭ ହୋଇ ଯାଉଥିବା ବେଳେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ସତର୍କ କରିଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୪ ଦିନ ଆକାଶରୁ ହେବ ଅଗ୍ନିବର୍ଷା ।

ପାଣିପାଗ କେନ୍ଦ୍ର ଜାରି କରିଥିବା ମ୍ୟାପ ମୁତାବକ ୨୬ ତାରିଖ ଅର୍ଥାତ ଆସନ୍ତାକାଲି ୯ଟି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇପାରେ । ଏହିସବୁ ଜିଲ୍ଲାରେ ସିଭିୟର ହିଟ୍ୱେଭ୍ ନେଇ ଚେତାବନୀ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ୱର, ମୟୁରଭଂଜ, ଢେଙ୍କାନାଳ, ଝାରସୁଗୁଡା, ଗଂଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୨୭ ତାରିଖ ଅର୍ଥାତ ଶନିବାର ପାଇଁ ୧୫ ଜିଲ୍ଲାରେ ହୋଇପାରେ ଭୀଷଣ ଗ୍ରୀଷ୍ମ ପ୍ରବାହ । ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଗଂଜାମ, ଗଜପତି, ସୁନ୍ଦରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡାକୁ ରେଡ୍ ୱାର୍ଣ୍ଣିଂ ଜାରି କରି ସତର୍କ କରିଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ତାପପାତ୍ରା ୪୫ରୁ ୪୬ ଡିଗ୍ରୀ ପହଁଚିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

୨୮ ଓ ୨୯ ତାରିଖରେ ମଧ୍ୟ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ସାରା ଓଡିଶାକୁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପିକ୍ ଆୱାରରେ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଚେତାବନୀ ଦିଆଯାଇଛି । ପଦାକୁ ବାହାରିଲେ ମୁଣ୍ଡରେ ଓଦା ଗାମୁଛା, ଛତା ବ୍ୟବହାର ସହ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଖରାରେ କଠିନ ପରିଶ୍ରମ କାର୍ଯ୍ୟ କରିବାକୁ ବାରଣ କରାଯାଇଛି ।