କୋରାପୁଟ ଓ ରାୟଗଡ଼ାରେ କାର୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବାଟ ଓଗାଳୁଥିବା ଅଭିଯୋଗ

115

କନକ ବ୍ୟୁରୋ : ଗତକାଲି ହିଂଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଅଭିଯାନ ଆରମ୍ଭ କରିବା ପରେ ଆଜି ଏହାକୁ ଆଗକୁ ବଢ଼ାଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ।
କୋରାପୁଟର ପଟାଙ୍ଗୀ ଓ ଲକ୍ଷ୍ମୀପୁରରେ ସେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ରାୟଗଡ଼ାର ବିଷମ କଟକରେ ମଧ୍ୟ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । କର୍ମୀ ଓ ସମର୍ଥକ ତାଙ୍କୁ ଭବ୍ୟ ସ୍ୱାଗତ କରିଥିବା ବେଳେ ମଂଚ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିବାକୁ ଚାହୁଁଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀ ।
ବିଶାଳ ଜନସଭାକୁ ଉଦବୋଧନ ଦେଇ ବିରୋଧୀଙ୍କୁ ଶାଣୀତ ଆକ୍ରମଣ କରିଛନ୍ତି ପାଣ୍ଡିଆନ୍ । ଆଉ କହିଛନ୍ତି –

ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ କାର୍ଯ୍ୟ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି
ନିର୍ବାଚନ ପରେ ବିରୋଧୀ ଦଳର ନେତାଙ୍କ ଦେଖା ମିଳେ ନାହିଁ
ଗତ ୫ ବର୍ଷରେ କୋରାପୁଟ ସାଂସଦ କିଛି କରିନାହାନ୍ତି
ମିଶନ ଶକ୍ତି ମାଆଙ୍କୁ ଦୁବାଇ ପଠାଇବା କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରିଦେଲେ ବିରୋଧୀ

ବିଜେଡି ନିର୍ବାଚନୀ ସଭାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ବିରୋଧୀଙ୍କୁ କଟାକ୍ଷ କରିବା ସହ ବିଜେଡି ସରକାରର ସଫଳତା ଗୋଟି ଗୋଟି ବଖାଣିଛନ୍ତି ପାଣ୍ଡିଆନ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ କହିଛନ୍ତି ପାଣ୍ଡିଆନ୍ । ମହିଳା ସଶକ୍ତିକରଣ ପାଇଁ ଏସ୍ଏଚ୍ଜି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍, ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଓ କାଳଆ ଯୋଜନାରେ ସହାୟତା, ଫାଇଭ୍-ଟି ସ୍କୁଲ ରୂପାନ୍ତର ଆଦିର ଉଦାହରଣ ଦେଇଛନ୍ତି । ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁରରେ ନିର୍ବାଚନ ପ୍ରଚାର କରିବା ପରେ ବିଷମ କଟକରେ ଉଦବୋଧନ ଦେଇଛନ୍ତି ପାଣ୍ଡିଆନ୍ ।