ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସରିଲା ନେତାଙ୍କ ନାମାଙ୍କନ । ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ, ବଳଭଦ୍ର ଓ ଗୌତମ, ଏପଟେ ଜମୁଛି ପ୍ରଚାର

72

କନକ ବ୍ୟୁରୋ :କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଓ ଏଥି ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଆଜି ସରିଛି ନାମାଙ୍କନ । ଆଜି ଶେଷଦିନରେ ଅନେକ ହେଭିୱେଟ ଓ ବିଭିନ୍ନ ଦଳ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ସେହିଭଳି ନବରଙ୍ଗପୁର ଲୋକସଭ ଆସନରୁ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ଓ ଜୟପୁର ବିଧାନସଭା ଆସନରୁ ନାମାଙ୍କନ ଭରିଛନ୍ତି ଗୌତମ ସାମନ୍ତରାୟ । ସମସ୍ତ ପ୍ରାର୍ଥୀ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଶକ୍ତି ପ୍ରଦର୍ଶନ କରିଥିଲେ । ମେ ୧୩ ତାରିଖରେ ଏହି ଆସନଗୁଡିକରେ ଭୋଟଗ୍ରହଣ ହେବ ।

ନିର୍ବାଚନକୁ ଆଖି ଆଗରେ ରଖି ପ୍ରାର୍ଥୀ କରୁଛନ୍ତି ନିଆରା ପ୍ରଚାର । ଏଭଳି କରି ଚର୍ଚ୍ଚାକୁ ଆସିଛନ୍ତି ଉଦଳାରେ ବିଜେପିରୁ ଲଢୁଥିବା ଭାସ୍କର ମଢେଇ । ଭାସ୍କର ମଢେଇ ରାତି ୧୦ଟାରେ ପୋଡାଡିହା ଅଂଚଳରେ ପଂହଚି ସେମାନଙ୍କ ସମସ୍ୟା ବୁଝିଥିଲେ । ପରେ ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶ୍ରୃତି ବି ଦେଇଥିଲେ । ସେହିଭଳି ଜୁନପାଳଠାରେ ପ୍ରଚାର ସମୟରେ କ୍ରିକେଟ ଖେଳିଥିବା ମଧ୍ୟ ଦେଖାଯାଇଥିଲା ।

ଯାଜପୁର ଜିଲ୍ଳା ଧର୍ମଶାଳା ନିର୍ବାଚନମଣ୍ଡଳୀର ଥାନୁଆଳ ଠାରେ ଧର୍ମଶାଳା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଓ ସାଂସଦ ପ୍ରାର୍ଥି ଶର୍ମିଷ୍ଠା ସେଠୀ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ରାଜ୍ୟରେ ଧର୍ମଶାଳା ପ୍ରଗତିର ପ୍ରୟୋଗଶାଳା ପାଲଟିଛି ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ ।

କଟକ ମହାଙ୍ଗାରେ ରୋଡ ସୋ କରି ବିଜେପିର ଶକ୍ତି ପ୍ରଦର୍ଶନ । ବାଇକ୍ ରାଲିରେ ୧୧ଟି ପଂଚାୟତ ବୁଲିଲେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼ା । ସମର୍ଥକଙ୍କ ସହ ରାଲି ବେଳେ ବିଭିନ୍ନ ଛକରେ ମହିଳା ଓ ବରିଷ୍ଠ ବ୍ୟକ୍ତିମାନେ ଉଭୟ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଦେଶରେ ମୋଦୀ ଲହରୀ ଭଳି ମାହାଙ୍ଗାରେ ମଧ୍ୟ ବିଜେପି ପ୍ରତି ସମର୍ଥନ ଥିବା କହିଛନ୍ତି ବୈଜୟନ୍ତ ପଣ୍ଡା ।

ଜାତିର ପିତାଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ବାଲେଶ୍ୱର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା । ବସ୍ତା ଗାନ୍ଧିଛକରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବାଲିଆପାଳରେ କର୍ମୀ ସମାବେଶରେ ସାମିଲ ହୋଇଥିଲେ । ଆଉ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିିଥିଲେ । ଏଥିରେ ଅନେକ କଂଗ୍ରେସ ନେତା ସାମିଲ ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଧିରେ ଧିରେ ଜମୁଥିବା ବେଳେ ସନ୍ଧ୍ୟା ହେଲେ ପ୍ରାର୍ଥୀ ଲୋକଙ୍କ ପାଖରେ ପଂହଚୁଛନ୍ତି ।