ଏମ୍ସର ସୁପାରିଶକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ, ଏମ୍ସରେ ସମସ୍ତ ପରୀକ୍ଷା ଏବେ ମାଗଣା

266

କନକ ବ୍ୟୁରୋ : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ରୋଗୀଙ୍କ ଚିକିତ୍ସା ନେଇ ଏକ ବଡ ନିଷ୍ପତ୍ତି ନେଇଛି । ଏବେ ୫୦୦ ଟଙ୍କାରୁ କମ ସମସ୍ତ ମେଡିକାଲ ଟେଷ୍ଟ ପାଇଁ ରୋଗୀଙ୍କ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଏନେଇ କରାଯାଇଥିବା ସୁପାରିଶକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ୪ ବର୍ଷ ପୂର୍ବରୁ ସୁପାରିଶ କରାଯାଇଥିଲା ।

ସୂଚନା ମୁତାବକ ଏହି ନିଷ୍ପତ୍ତି ପରେ ଏବେ ଏମ୍ସରେ ରକ୍ତ ପରୀକ୍ଷା ଠାରୁ ଏକ୍ସ ରେ, ସିଟି ସ୍କାନ ଭଳି ସମସ୍ତ ପରୀକ୍ଷା ମାଗଣାରେ ହୋଇପାରିବ । ପୂର୍ବରୁ ଏସବୁ ପରୀକ୍ଷା ପାଇଁ ଏମ୍ସରେ ଥିବା କାଉଣ୍ଟରେ ରୋଗୀମାନଙ୍କୁ ଟଙ୍କା ଜମା କରିବାକୁ ପଡୁଥିଲା । ସୂତ୍ର ସୂଚନା ମୁତାବକ ଏମ୍ସରେ ଦୈନିକ ୫୦୦ ଟଙ୍କାରୁ କମ ଟେଷ୍ଟ ପାଇଁ ୫୦ ହଜାର ରୁ ୮୦ ହଜାର ନମୂନା ସଂଗ୍ରହ କରାଯାଇଥାଏ । ଏବେ ଏହି ଦେୟ ମାଗଣା ହୋଇଯିବା ଦ୍ୱାରା ରୋଗୀମାନଙ୍କୁ ଅନେକ ଲାଭ ମିଳିବ । ଅନ୍ୟପଟେ ରୋଗୀଙ୍କ ଟେଷ୍ଟ ରିପୋର୍ଟ ଗୋଟିଏ ଦିନରେ ସେମାନଙ୍କୁ ଅନଲାଇନ ମାଧ୍ୟମରେ ପଠାଇ ଦିଆଯିବ ।

କହିରଖୁ କି ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ୨୦୧୭ ନଭେମ୍ବର ମାସରେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ । ଏହି ସୁପାରିଶରେ ନିର୍ଦ୍ଦେଶକ କହିଥିଲେ କି ଏହି ପ୍ରକାର ଟେଷ୍ଟ ପାଇଁ ରୋଗୀମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଛି   । ତେଣୁ ରୋଗୀମାନଙ୍କୁ ଆର୍ଥିକ ସହାୟତା ପାଇଁ ଏଭଳି ଦେୟକୁ ମାଗଣା କରାଯାଉ ।

ଏହି ସୁପାରିଶ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ ଏମ୍ସ ହସ୍ପିଟାଲ ଗସ୍ତ କରିଥିଲେ । ଏନେଇ ଏମ୍ସର ବରିଷ୍ଠ ଡାକ୍ତର ଶିବ ଚୌଧୁରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିିଟି ଏମ୍ସର ସ୍ୱାସ୍ଥ୍ୟସେବା ଓ ଏହାକୁ ଆହୁରି ସରଳ କରିବା ନେଇ ଏକ ରିପୋର୍ଟ ଦେବେ । କମିଟି ତରଫରୁ ୫୦୦ ଟଙ୍କାରୁ କମ ସମସ୍ତ ଟେଷ୍ଟ ମାଗଣାରେ ଯୋଗାଇଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ ସୁପାରିଶ କରିଥିଲେ । ଏହାକୁ ଏବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।