ଆଇପିଏଲରେ ହ୍ୟାଟ୍ରିକ ହାରିଲା ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ୨୭ଟି ବଲ ପୂର୍ବରୁ ଟାର୍ଗେଟ ପୂରଣ କଲା ରାଜସ୍ଥାନ ରୟାଲ୍ସ

217

କନକ ବ୍ୟୁରୋ : ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲର ୧୪ତମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ୬ ୱିକେଟରେ ବିଜୟୀ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନର ଏହା କ୍ରମାଗତ ତୃତୀୟ ବିଜୟ । ମୁମ୍ବାଇ ଇଣ୍ଡିଆନ୍ସର ଏହା କ୍ରମାଗତ ତୃତୀୟ ପରାଜୟ । ଘରୋଇ ପଡ଼ିଆରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଜିତି ପାରିନଥିଲା । ହାର୍ଦିକ ପାଣ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇର ୧୨୬ ରନର ଟାର୍ଗେଟକୁ ରାଜସ୍ଥାନ ୧୫.୩ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା ।

ରାଜସ୍ଥାନ ପକ୍ଷରୁ ରିଆନ ପରାଗ ଚମତ୍କାର ଇନିଂସ ଖେଳିଥିଲେ । ରିୟାନ୍ ୩୯ ବଲରୁ ୫୪ ରନ୍ କରିଥିବା ବେଳେ ଇନିଂସ୍ ସମୟରେ ରିୟାନ୍ ୫ ଚୌକା ଓ ୩ ଛକା ମାରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆକାଶ ମାଧୱାଲ ୩ଟି ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଏହାପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୫ ରନ୍ କରିପାରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବ୍ୟାଟିଂ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଲକ ବର୍ମା ୩୨ ରନ୍ କରିଥିଲେ । ଏହାବ୍ୟତୀତ ଟିମ୍ ଡେଭିଡ୍ ୧୭ ଓ ଇଶାନ କିଶନ ୧୬ ରନ୍ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇର ୩ ଜଣ ବ୍ୟାଟ୍ସମ୍ୟାନ୍ ଖାତା ନ ଖୋଲି ଆଉଟ୍ ହୋଇଥିଲେ ।