ଇଭିଏମ୍ ସହିତ ଭିଭିପାଟ ସ୍ଲିପ୍ ଗଣତି ପାଇଁ ଦାବି । ନିର୍ବାଚନ କମିଶନ ଓ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍ କୋର୍ଟ

256

କନକ ବ୍ୟୁରୋ : ନିର୍ବାଚନରେ ଭୋଟର ଭିଭିପାଟ୍ ସ୍ଲିପର ବ୍ୟାପକ ଗଣନା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଏବେ କେବଳ ୫ଟି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ଭିଭିପାଟ ପେପର ସ୍ଲିପ୍ ଜରିଆରେ ଯାଂଚ କରାଯାଉଛି । ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ତଥା ସାମାଜିକ କର୍ମୀ ଅରୁଣ କୁମାର ଅଗ୍ରୱାଲଙ୍କ ଆବେଦନ ଉପରେ ଉଭୟ ନିର୍ବାଚନ କମିଟି ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଆସନ୍ତା ୧୭ ତାରିଖରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି ।

ଅଗ୍ରୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ଓ ଆଇନଜୀବୀ ନେହା ରାଠୀ ଅଦାଲତରେ ମାମଲା ପରିଚାଳନା କରିଥିଲେ । ଆବେଦନରେ ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ଚ୍ୟାଲେଞ୍ଜ କରାଯାଇଛି, ଯେଉଁଥିରେ ଗୋଟିଏ ପରେ ଗୋଟିଏ ଭିଭିପାଟ୍ ର କ୍ରମାଗତ ଯାଂଚର ଆବଶ୍ୟକ ରହିଛି ବୋଲି କୁହାଯାଇଛି । ନିର୍ବାଚନ କମିଶନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନୋଟିସକୁ ପ୍ରଶଂସା କରି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଏହି ପ୍ରସଙ୍ଗରେ ନିଷ୍ପତି ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେବେ ଭିଭିପିଆଟ ହେଉଛି ଏକ ସ୍ୱାଧୀନ ବ୍ୟବସ୍ଥା ଯାହା ନିର୍ବାଚନରେ ଭୋଟ୍ ଯାଂଚ ପାଇଁ ବ୍ୟବହୃତ ହୁଏ । ଏହା ଦ୍ୱାରା ଭୋଟରମାନେ ସେମାନଙ୍କ ମନୋନୀତ ପ୍ରାର୍ଥୀଙ୍କ ନାମ ଦର୍ଶାଉଥିବା ଏକ କାଗଜ ସ୍ଲିପ୍ ପ୍ରସ୍ତୁତ କରି ସେମାନଙ୍କ ଭୋଟ୍ ସଠିକ ଭାବରେ ରେକର୍ଡ କରାଯାଇଛି କି ନାହିଁ ତାହା ନିଶ୍ଚିତ କରିପାରିବେ । ଏହି କାଗଜ ସ୍ଲିପ୍ ସୁରକ୍ଷିତ ଭାବରେ ସିଲ୍ ରଖାଯାଇଛି ଏବଂ କୌଣସି ବିବାଦ ଥିଲେ ଯାଂଚ ପାଇଁ ବ୍ୟବହାର କରାଯାଇପାରିବ ।