ଗାଁ ଗାଁରେ ଗରିବ ଖୋଜିବେ ସରକାର: ଘର ଘର ବୁଲି କରିବେ ସର୍ଭେ

215

କନକ ବ୍ୟୁରୋ: ଦାରିଦ୍ର୍ୟ ଦୂରିକରଣ ପାଇଁ ସରକାର ଅନେକ ଯୋଜନା କରୁଛନ୍ତିି । କିନ୍ତୁ ରାଜ୍ୟର ଗରିବୀ ସଂଖ୍ୟା ଯେମିତି ହ୍ରାସ ପାଇବା କଥା ସେମିତି ଦେଖିବାକୁ ମିଳୁନାହିଁ । ତେବେ କାହିଁକି ରାଜ୍ୟରେ ଗରିବୀ ସଂଖ୍ୟା କମୁନାହିଁ? ହେଉଥିବା ଯୋଜନା ଲୋକଙ୍କ ନିକଟରେ ପହଁଚୁଛି କି ନାହିଁ? ଏହାର ଅନୁଧ୍ୟାନ କରିବାକୁ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ଗାଁ ଗାଁ ଓ ଘର ଘର ବୁଲି ଲୋକଙ୍କ ଠାରୁ ତଥ୍ୟ ନେବେ ଅଫିସର । ଯୋଜନା ସଂଯୋଜନା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଏହି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଏଜେନ୍ସି ପିଏଚଡିଏମଏ ସଂସ୍ଥା ଯୋଜନାର ମୂଲ୍ୟାଙ୍କନ କରିବା ସହିତ ଲୋକଙ୍କ ସୁବିଧା ଅସୁବିଧା ବୁଝିବେ । ମୋଟ ୬ ହଜାର ୭୯୪ ଗ୍ରାମ ପଂଚାୟତରୁ ତଥ୍ୟ ସଂଗ୍ରହ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ୫୬ ଗ୍ରାମ ପଂଚାୟତରେ ସର୍ଭେ କରାଯିବ । ଅକ୍ଟୋବର ୨୩ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବେ ।

ରାଜ୍ୟର ବଜେଟ ବଢ଼ି ବଢ଼ି ଚାଲିଥିଲେ ବି ଗରିବ ସଂଖ୍ୟା ଏବେ ବି ବହୁ ଅଧିକ ରହିଛି । ଆଉ ଏତିକିବେଳେ ସରକାରଙ୍କ ଏହି ସର୍ଭେ କରିବା ପାଇଁ ନିଷ୍ପତିକୁ ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି, ଗରିବ ସଂଖ୍ୟା କମିବା ବଦଳରେ ରାଜ୍ୟରେ ବଢ଼ୁଛି । ସର୍ଭେ ମାଧ୍ୟମରେ ଭୋଟ ବ୍ୟାଙ୍କ ଉପରେ ଶାସକ ଦଳର ନଜର । କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି ।

ରାଜ୍ୟରେ ଗରିବ ସଂଖ୍ୟା ୧୦ପ୍ରତିଶତକୁ ହ୍ରାସ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଥିଲା । କିନ୍ତୁ ଏହା ଭିତରେ ରାଜ୍ୟରେ ଏବେ ବି ରାଜ୍ୟରେ ୨୬ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ବିଶେଷ କରି ଗ୍ରାମାଂଚଳରେ ଗରିବୀ ହାର ଅଧିକ ରହିଛି ।