ମିଶନ ଶକ୍ତି ମହିଳାଙ୍କ ୟୁନିଫର୍ମ ପାଇଁ ମିଳିବ ହଜାରେ ଟଙ୍କାର ଆର୍ଥିକ ସହାୟତା । ଉପକୃତ ହେବେ ୬ହଜାର ଗ୍ରୁପର ୭୦ଲକ୍ଷ ମହିଳା

2,160

କନକ ବ୍ୟୁରୋ : ୟୁନିଫର୍ମ କିଣିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାକୁ ଦିଆଯିବ ୧ ହଜାର ଟଙ୍କା । ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଂଜୁରୀ । ଏଥିରେ ଉପକୃତ ହେବେ ୭୦ ଲକ୍ଷ ମହିଳା । ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କୁ ବ୍ଲେଜର କିଣିବା ପାଇଁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । କୁଲତା ସମାଜର ଧର୍ମଶାଳା ନିର୍ମାଣ ପାଇଁ ପୁରୀରେ ୧ ଏକର ଜମି ଲିଜ୍ ଦେବେ ରାଜ୍ୟ ସରକାର । ସେହିପରି ବୁଣାକାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଏବଂ କାରିଗର ସହାୟତା ଯୋଜନା ଉପରେ ବାଜିଛି କ୍ୟାବିନେଟ୍ ମୋହର । ଏହି ଯୋଜନାରେ ୪୦ରୁ ୮୦ ବର୍ଷ ବୟସର ମହିଳା ବୁଣାକାର ଏବଂ ୫୦ରୁ ୮୦ ବର୍ଷ ବୟସର ପୁରୁଷ ବୁଣାକାର ପାଇବେ ୨ ହଜାର ଟଙ୍କାର ଆର୍ଥିକ ସହାୟତା । ୮୦ ବର୍ଷରୁ ଅଧିକ ହୋଇଥିଲେ ପାଇବେ ଅଢ଼େଇ ହଜାର ଟଙ୍କାର ସହାୟତା । ସେହିପରି ନୂଆ-ଓ ସ୍କଲାରସିପକୁ ମିଳିଛି କ୍ୟାବିନେଟ ମଂଜୁରୀ । ସଂସ୍କୃତି ବିଭାଗରେ ନୂଆ ପଦବୀକୁ ମଧ୍ୟ ମିଳିଛି ଅନୁମୋଦନ । ରାଜ୍ୟର ସବୁ ଐତିହ୍ୟ ଓ କୀର୍ତିରାଜିର ହେବ ସୌନ୍ଦର୍ଯ୍ୟକରଣ । ୧୫୯ଟି ପ୍ରକଳ୍ପର ରୂପାନ୍ତରଣକୁ କ୍ୟାବିନେଟ୍ ମଂଜୁରୀ ମିଳିଥିବା ବେଳେ ୨ ହଜାର ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଛି । ୨୦୨୬-୨୭ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।