ଆଦିବାସୀ ପରିବାରର ପେଟ ପୋଷୁଛି ଘୁଡୁକି ନାଚ । ପୂର୍ବ ପୁରୁଷର ପାରମ୍ପରିକ ବାଦ୍ୟକୁ ଭରସା କରି ଜୀବନ ଜିଉଁଛନ୍ତି ପିଲା ଛୁଆ ।

92

କନକ ବ୍ୟୁରୋ: ଆଉ ଶୁଣିବାକୁ ମିଳୁନି ଘୁଡୁକି ଶବ୍ଦ । ଗୀତର ତାଳ ସାଙ୍ଗକୁ ଘୁଡୁକିର ଶବ୍ଦ ଶୁଣିବାକୁ ଘରୁ ବାଳୁତ ଠାରୁ ବୃଦ୍ଧ ଧାଇଁ ଆସନ୍ତି । ତେବେ ଏହି ପାରମ୍ପରିକ ଘୁଡୁକି ବଜାଇବା ସହ ନାଚ କରି ଗାଁ ଗାଁ ବୁଲି ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି ଆଦିବାସୀ ପରିବାର ।

ପାରମ୍ପରିକ ଘୁଡୁକି ବାଦ୍ୟ ବଜାଇ ଗାଁ ଗାଁ ବୁଲୁଛନ୍ତି ଆଦିବାସୀ ପରିବାର । ପୂର୍ବ ପୁରୁଷ ଅମଳରୁ ଘୁଡୁକି ବଜାଇ ଗାଁ ଗାଁ ବୁଲି ନାଚ କରୁଛନ୍ତି । ଘୁଡୁକି ବଜାଇ ମୁହଁରେ ପାଉଡର ବୋଳି ବେସବୁସା ହୋଇ ସକାଳୁ ଘରୁ ବାହାରି ଯାଆନ୍ତି । ଦିନ ସାରା ଏ ଗାଁରୁ ସେ ଗାଁ ବୁଲି ଘୁଡୁକି ବଜାଇବା ପରେ ରାତିରେ ଘରକୁ ଫେରନ୍ତି । ଗାଁରେ ଘୁଡୁକି ଶବ୍ଦ ଶୁଣି ଲୋକମାନେ ଘରୁ ବାହାରି ଆସୁଛନ୍ତି, ଆଉ ଘୁଡୁକି ନାଚ ଦେଖି ଖୁସିରେ ଯାହା ଦେଇଥାନ୍ତି ସେଥିରେ ପରିବାର ପ୍ରତି ପୋଷଣା କରୁଛନ୍ତି ନରସିଂହପୁର ବ୍ଲକ ରଣସିଂହପୁରରେ ରହୁଥିବା ଆଦିବାସୀ ପରିବାର ।

୩୦ ବର୍ଷରୁ ଅଧିକ ସମୟ ହେବ ରଣସିଂହପୁରରେ ରହୁଥିବା ଏହି ପରିବାର ଅନୁଗୁଳ ଜିଲ୍ଲା ତାଳଚେର ଅଂଚଳର ମୂଳବାସିନ୍ଦା । ନରସିଂହପୁର ପ୍ରଶାସନ ପକ୍ଷରୁ ପରିବାରକୁ ରାସନକାର୍ଡ ଓ ଆଧାରକାର୍ଡ ଯୋଗାଇ ଦିଆଯାଇଛି । ହେଲେ ଘର ଖଣ୍ଡିଏ ମିଳିନାହିଁ । ତେଣୁ ଅବହେଳିତ ହୋଇ ଝାଟି ମାଟିର ଘରେ ରହୁଛନ୍ତି ଏହି ପାରମ୍ପରିକ ବାଦ୍ୟକୁ ବଂଚାଇ ରଖିଥିବା ଆଦିବାସୀ ସଂପ୍ରଦାୟର ଲୋକମାନେ ।

ରାଜ୍ୟ ସରକାର ବିଶେଷ କରି ଆଦିବାସୀ ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା କରି ବାହା ବାହା ନେଉଥିବା ବେଳେ ଏ ଆଦିବାସୀ ଘୁଡୁକି ପରିବାରଙ୍କୁ କେବେ ମିଳୁଛି ସରକାରୀ ସହାୟତା ତାହା ଦେଖିବାକୁ ବାକି ରହିଲା ।