୪ ସନ୍ତାନଙ୍କୁ ଜନ୍ମଦେଲେ ଗାଜା ବିସ୍ଥାପିତ ମହିଳା । ପରିତ୍ୟକ୍ତ କୋଠରୀରେ ଅତି କଷ୍ଟରେ ବିତୁଛି ଜୀବନ ।

157

କନକ ବ୍ୟୁରୋ: ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଥିବା ନିଜ ଘରଠାରୁ ଅନେକ ମାଇଲ ଦୂରରେ ଦକ୍ଷିଣ ଗାଜାର ଏକ ଡାକ୍ତରଖାନାରେ ଇମାନ ଅଲ୍ ମାସ୍ରି ନାମକ ମହିଳା ୪ଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧର କିଛି ଦିନ ପରେ ମହିଳା ଜଣକ ନିଜର ସୁରକ୍ଷା ପାଇଁ ତାଙ୍କର ଅନ୍ୟ ତିନି ପିଲାଙ୍କ ସହ ହାନୁନସ୍ଥିତ ଘରୁ ପଳାଇଥିଲେ। ସେମାନେ ପାଞ୍ଚ କିଲୋମିଟର ଚାଲି ଚାଲି ଜବାଲିଆ ଶରଣାର୍ଥୀ ଶିବିରକୁ ଯାଇଥିଲେ। ତା’ପରେ ସେ ପରିବହନର ଏକ ମାଧ୍ୟମ ଖୋଜିଥିଲେ ଯାହା ସେମାନଙ୍କୁ ଅଧିକ ଦକ୍ଷିଣରେ ଦେଇର୍ ଅଲ୍ ବାଲାହକୁ ନେଇଯିବ। ସେତେବେଳେ ଇମାନ ୬ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କ ପାଇଁ ଦୂରତା ବହୁତ ଲମ୍ବା ଥିଲା ବୋଲି ସେ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି।

ଡିସେମ୍ବର ୧୮ ତାରିଖରେ ଅସ୍ତ୍ରାପଚାର ଦ୍ୱାରା ଝିଅ ଟିଆ ଓ ଲିନ୍ ଏବଂ ପୁଅ ୟାସିର ଓ ମହମ୍ମଦଙ୍କୁ ଜନ୍ମ ଦେଇଥିବା ୨୮ ବର୍ଷୀୟା ମା’ ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ଥିଲେ ମଧ୍ୟ ତାଙ୍କୁ ତୁରନ୍ତ ମହମ୍ମଦକୁ ଛାଡ଼ି ଅନ୍ୟ ନବଜାତ ଛୁଆମାନଙ୍କ ସହିତ ଡାକ୍ତରଖାନା ଛାଡିବାକୁ କୁହାଯାଇଥିଲା। କାରଣ ତାଙ୍କ ସହିତ ଯିବା ପାଇଁ ମହମ୍ମଦ ବହୁତ ଦୁର୍ବଳ ଥିଲା। ଯୁଦ୍ଧପୀଡ଼ିତ ଅନ୍ୟ ରୋଗୀମାନଙ୍କୁ ସ୍ଥାନ ଦେବା ପାଇଁ ତାଙ୍କୁ ଡାକ୍ତରଖାନା ଛାଡ଼ିବାକୁ ପଡ଼ିଥିଲା। ଏବେ ଟିଆ, ଲିନ୍ ଓ ୟାସିରଙ୍କ ସମେତ ସେମାନଙ୍କ ସମ୍ପ୍ରସାରିତ ପରିବାରର ଅନ୍ୟ ପ୍ରାୟ ୫୦ ଜଣ ସଦସ୍ୟଙ୍କ ସହ ଇମାନ ଦେଇର ଅଲ୍-ବାଲାହରେ ଏକ ଭଙ୍ଗା ସ୍କୁଲଘରେ ଆଶ୍ରୟ ନେଇଛନ୍ତି। ମହମ୍ମଦର ଓଜନ ମାତ୍ର ଏକ କିଲୋଗ୍ରାମ୍‌। ସେ ବଞ୍ଚିବା କଷ୍ଟକର ବୋଲି ତାଙ୍କୁ ଡାକ୍ତରମାନେ କହିଥିଲେ। ତାଙ୍କ ସ୍ୱାମୀ ୩୩ ବର୍ଷୀୟ ଅମ୍ମାର ଅଲ୍ ମାସ୍ରି କହିଛନ୍ତି ଯେ ସେ ତାଙ୍କ ପରିବାରର ଭରଣପୋଷଣ କରିପାରୁ ନ ଥିବାରୁ ଭାଙ୍ଗି ପଡ଼ିଛନ୍ତି। ଦୁର୍ଗନ୍ଧଭରା ସ୍କୁଲ ଘରେ ରହୁଥିବା ତାଙ୍କ ଛଅ ଜଣ ପିଲାଙ୍କୁ ସେ ଖାଇବାକୁ ଦେଇପାରୁ ନାହାନ୍ତି। ତାଙ୍କର ଅଧିକାଂଶ ସମୟ ପିଲାଙ୍କ ପାଇଁ ଖାଦ୍ୟ ଖୋଜିବାରେ ବାହାରେ ବିତୁଛି।