ଗଡିଲା ବସ, ଫେରିଲା ଲୋକଙ୍କ ମୁହଁକୁ ହସ। ଆନ୍ଦୋଳନ ପାଇଁ ଅଣନିଶ୍ୱାସୀ ହୋଇଯାଇଥିଲେ ଯାତ୍ରୀ।

132

କନକ ବ୍ୟୁରୋ: ଗୋଟିଏ ଘଟଣା କେମିତି, ଆମ ଚାରିପାଶ୍ୱର୍ ଦୁନିଆକୁ ପ୍ରଭାବିତ କରିପାରେ, ଏହି ୩ଦିନର ଆନ୍ଦୋଳନରେ ଅଣନିଶ୍ୱାସୀ ହୋଇପଡ଼ିଥିବା ଓଡ଼ିଶାର ସାଢ଼େ ୪କୋଟି ଓଡ଼ିଆ ଅତିନିକଟରୁ ଦେଖିଛନ୍ତି । ବସର ବାଟ ଚାହିଁ ଚାହିଁ ବାଟ ଚାଲୁଥିବା ମଣିଷ । ବାହା ହେବା ପାଇଁ କନ୍ୟାଘରକୁ ଯିବା ପାଇଁ ରାତିର ଅନ୍ଧାରରେ ଅସହାୟ ପଡ଼ିଥିବା ବରଯାତ୍ରୀ । ଔଷଧ ପାଇଁ ଡହଳବିକଳ ହେଉଥିବା ରୋଗୀ । ଏବଂ ସ୍ୱାମୀଙ୍କ ପାଖରେ ପହଞ୍ଚିବା ପାଇଁ ବସର ଚକ ଗଡ଼ିବାକୁ ଅପେକ୍ଷା କରିଥିବା ମହିଳା, ଏହି ଗୋଟିଏ ଆନ୍ଦୋଳନରେ ଯେମିତି ହସ୍ତସନ୍ତ ହୋଇଯାଇଛନ୍ତି ।

ରାତିର ଅନ୍ଧାରରେ ବାଟ ଚାଲୁଥିବା, ବରଯାତ୍ରୀଙ୍କ ଏହି ଅସହାୟ ଚିତ୍ର ପଛରେ ଥିଲା ଡ୍ରାଇଭରଙ୍କ ଆନ୍ଦୋଳନ । ବାହାଘର ପାଇଁ ୪ଟି ଭଡ଼ା କରିଥିଲେ ବରପକ୍ଷ । କିନ୍ତୁ ଷ୍ଟିୟରିଂ ଛାଡ଼ ପ୍ରତିବାଦ ଯୋଗୁଁ ଆସିପାରିଲାନି ଗୋଟିଏ ଗାଡ଼ି । ଫଳରେ ୨୮ କିଲୋମିଟର ବାଟ ଚାଲି କନ୍ୟା ଘରେ ପହଞ୍ଚିଥିଲା ବରଯାତ୍ରୀ । ରାୟଗଡ଼ା ଜିଲ୍ଳା କଲ୍ୟାଣସିଂହପୁରରୁ ଆସିଥିବା ଏହି କାହାଣୀ ହିଁ, ବୟାନ କରୁଛି ଆନ୍ଦୋଳନର ପ୍ରଭାବ କ’ଣ?

ମୁମ୍ବାଇରୁ ଟ୍ରେନରେ ଖଲିକୋର୍ଟ ସିନା ପହଞ୍ଚିଗଲେ, ହେଲେ ଘରକୁ ଯିବା ପାଇଁ ଦରକାର ଥିଲା ବସ୍ । ହେଲେ ବସ୍ ଗଡ଼ୁନଥିବାରୁ ପ୍ରାୟ ୪୦ କିଲୋମିଟର ଦୂର ବାଟ ଚାଲିବାକୁ ପଡ଼ିଲା । ଖଲିକୋର୍ଟରୁ ଦାନପୁର ଚାଲିଚାଲି ଘରକୁ ଯାଇଥିଲେ ଯାତ୍ରୀ । କେବଳ ଏମାନେ ନୁହଁନ୍ତି, ଖଲ୍ଲିକୋଟ ଷ୍ଟେସନରୁ ଅନେକ ରୋଗୀ, ଛାତ୍ରଛାତ୍ରୀ ଚାଲିଚାଲି ଘରକୁ ଯିବାକୁ ବାଧ୍ୟ ହୋଇଥିଲେ ।

ରୋଗୀଙ୍କ ଉପରେ ପଡ଼ିଛି ଡ୍ରାଇଭରଙ୍କ ଆନ୍ଦୋଳନର ପ୍ରଭାବ । ଗାଡ଼ି ଚଳାଚଳ ବନ୍ଦ ରହିବାରୁ ବଲାଙ୍ଗୀର ସହରକୁ ପହଞ୍ଚିପାରିଲାନି, ଅନେକ ଅତ୍ୟାବଶ୍ୟକ ଔଷଧ । ବିଶେଷ କରି ଭୁବନେଶ୍ୱର ଓ କଟକରୁ ଆସୁଥିବା ଔଷଧ ପହଞ୍ଚି ପାରିଲାନି । ଫଳରେ ରୋଗୀ ହସ୍ତସନ୍ତ ହୋଇଥିବା ବେଳେ ପ୍ରଭାବିତ ହୋଇଥିଲେ ବ୍ୟବସାୟୀ ।

ବସର ଚକ ଗଡ଼ିବାକୁ ଯେମିତି ଆପେକ୍ଷା କରି ରହିଥିଲେ ଯାତ୍ରୀ । ବ୍ରହ୍ମପୁର ଓ ରଣପୁର ଅଭିମୁଖେ ଯେତେବେଳେ ଗାଡ଼ି ଗଡ଼ିଥିଲା, ଯାତ୍ରୀଙ୍କ ଦୀର୍ଘ ପ୍ରତିକ୍ଷାର ଅନ୍ତଘଟିଥିଲା । ମେଡିକାଲରେ ଚିକିତ୍ସିତ ହେଉଥିବା ସ୍ୱାମୀଙ୍କ ପାଖକୁ ପହଞ୍ଚିବା ପାଇଁ କିଏ ଖୁସିଥିଲା ତ’ ଆଉ କିଏ ଘରକୁ ଫେରିବା ପାଇଁ ଖୁସିଥିଲା । ଏମିତି କି ଡ୍ରାଇଭର କରୁଥିଲେ, ଗାଡ଼ି ଗଡ଼ିଲେ ତାଙ୍କ ପରିବାର ଚଳିବ ।

ଏସବୁ ଭିତରେ ଭୁବନେଶ୍ୱର ଆସୁଥିବା ପରିବା ରାସ୍ତାରେ ଘଂଟା ଘଂଟା ଧରି ଅଟକି ରହିବା ଫଳରେ ପରିବା ପଚିଶଢି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଶେଷରେ ଟଳିଛ ସଙ୍କଟ, ସ୍ୱାଭାବିକ ହୋଇଛିି ଯାତାୟତ ।