ଥମୁନି ରାହୁଲ ଗାନ୍ଧୀ ମନ୍ତବ୍ୟଙ୍କୁ ନେଇ ଉଠିଥିବା ବିବାଦ । ଶାସକ ଓ ବିରୋଧୀଙ୍କ ହଟଗୋଳ ଯୋଗୁ ୫ ଦିନ ଚାଲିପାରିଲାନି ସଂସଦ

115

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟଙ୍କୁ ନେଇ ଉଠିଥିବା ବିବାବ ଥମିବାରେ ନାଁ ଧରୁନି । ଶୁକ୍ରବାର ଏହି ପ୍ରସଙ୍ଗ ନେଇ ଲଗାତାର ପଂଚମ ଦିନ ସଂସଦ ଚାଲିପାରିନି । ଦେଶ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ଆଦାନୀ ମାମଲାରେ ଜେପିସି ତଦନ୍ତ ପାଇଁ ବିରୋଧୀ ଦାବି କରିଥିଲେ । ଶେଷରେ ସଂସଦର ଉଭୟ ଗୃହକୁ ଆସନ୍ତା ସୋମବାର ଯାଏଁ ମୁଲତବୀ ଘୋଷଣା କରାଯାଇଛି । ଲଣ୍ଡନରେ ଭାରତରେ ଗଣତନ୍ତ୍ରକୁ ନେଇ ରାହୁଲ ଦେଇଥିବା ବୟାନ ପାଇଁ ଯଦି ସେ କ୍ଷମା ନମାଗନ୍ତି ତେବେ ତାଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଯିବନି ବୋଲି ବିଜେପି କହିଥିଲା । ରାହୁଲ ବିଦେଶରେ ଦେଇଥିବା ଭାଷଣ ଉପରେ ଏକ ତଦନ୍ତ କମିଟି ଗଠନ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଥିଲେ । ସେପଟେ ଭାରତ ସ୍ୱାଧୀନତାରେ ବିଜେପିର କୌଣସି ଅବଦାନ ନାହିଁ । ଆଦାନୀ ପ୍ରସଙ୍ଗରୁ ଦୃଷି ହଟାଇବା ପାଇଁ ଗଣତନ୍ତ୍ର ଉପରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ବିଜେପି ପ୍ରସଙ୍ଗ କରୁଛି ବୋଲି କହିଛିନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁାନ ଖଡଗେ ।