ଠକେଇ କରି ଗିରଫ ହେବା ପରେ କାନ୍ଦିଲା ଠକ: କହିଲା, କିଛି ଟଙ୍କା ପାଇଁ ଭୁଲ କରିଦେଲି, ଆଉ ମୁଣ୍ଡଟେକି ଚାଲିପାରିବିନି

478

କନକ ବ୍ୟୁରୋ: କ୍ୟାମେରା ଆଗରେ କାନ୍ଦିଲା ଠକ । ଠକେଇ କରି ଗିରଫ ହେବା ପରେ ଆଉ ଠକେଇ କରିବ ନାହିଁ ବୋଲି କହିଛି । ଏହି ଠକ ବିକାଶ ସ୍ୱାଇଁ ରାଜଧାନୀରେ ବିଏମସି ଦୋକାନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗ ରହିଛି । ସହୀଦନଗରର ଅଶୋକ କୁମାର ସାହୁଙ୍କଠାରୁ ବିକାଶ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବିକାଶ ଅଶୋକଙ୍କଠୁ ଦେଢ ଲକ୍ଷ ଟଂକା ନେଇଥିଲେ । ଏହାପରେ ପୁଣି ୨୪ ହଜାର ଟଙ୍କା ମାଗୁଥିଲେ ବିକାଶ । ଦୋକାନ କରିବା ନେଇ ଏକ ଫାଇନାଲ ଆଲଟମେଂଟ କପି ଅଶୋକଙ୍କୁ ଦେଇଥିଲେ । ପରେ ଅଶୋକ ବିଏମସିରେ ଏହି ଆଲଟମେଂଟ କପି ଦେଖାଇବା ପରେ ନକଲି ବୋଲି ଜଣାପଡିଥିଲା ।

ଠକେଇର ଶିକାର ବ୍ୟକ୍ତି ଅଶୋକ ଏବଂ ତାଙ୍କ ପତ୍ନୀ ପ୍ରତିମା ସାହୁ ସହୀଦନଗର ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ପୋଲିସ ତଦନ୍ତ କରି ଠକ ବିକାଶକୁ ଗିରଫ କରିଛି । ଅଶୋକ ଦୋକାନ କରାଇଦେବା କଥା କହି ଟଂକା ନେବା ପରେ ଏକ ଫାଇନାଲ ଆଲଟମେଂଟ କପି ଦେଉଥିଲା । ଯେଉଁଥିରେ ବିଏମସି କମିଶନରଙ୍କ ଜାଲ୍ ଦସ୍ତଖତ ରହିଛି । ସେପଟେ ଗିରଫ ହେବା ପରେ ବିକାଶ ସ୍ୱାଇଁ କ୍ୟାମେରା ଆଗରେ କାନ୍ଦି କାନ୍ଦି ଭୁଲ ସ୍ୱୀକାର କରିଛି । ଆଜି ପୁଅର ଜନ୍ମଦିନରେ ବିକାଶ ପ୍ରତିଶ୍ରୁତି ଦେଇଛିି, ସେ ଏପରି ଆଉ ଠକେଇ କରିବ ନାହିଁ । ଦୋକାନ କରାଇ ଦେବା ନାଁରେ ଯେଉଁ ଠକେଇ କରିଛି ସେ ସମସ୍ତ ଟଂକା ଫେରାଇ ଦେବ ବୋଲି କହିଛି ।