ଏମିତି ହେଉଛି ଠକେଇ? ଫୋନ୍ କଲ ଆସୁଛି, ଲଟେରୀ ଜିତିଥିବା ନେଇ ଘୋଷଣା ହେଉଛି । ଆଉ ଏହାପରର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

827

କନକ ବ୍ୟୁରୋ : କୌନ ବନେଗା କରୋଡପତି ନାଁରେ ଠକେଇ କରୁଥିବା ବେଳେ ଜଣାପଡିଲା ସାଇବର ଅପରାଧୀଙ୍କ ଠକେଇର ଷଡଯନ୍ତ୍ର । ବାଙ୍କିର ଜଣେ ଯୁବତୀ ୨୫ଲକ୍ଷ ଟଙ୍କା ଲଟେରୀ ଜିତିଛନ୍ତି ବୋଲି ଫୋନରେ ସୂଚନା ଦେଇ ହଜାର ହଜାର ଟଙ୍କା ଠକିନେବାକୁ ଚେଷ୍ଟା କରିଥିଲେ ସାଇବର ଅପରାଧୀ । ହେଲେ ଠକେଇ ପୂର୍ବରୁ ସତ ଧରାପଡିଯାଇଛି ।

ଏକ ଘରୋଇ ଚାନେଲରେ ପ୍ରସାରିତ କୌନ ବନେଗା କରୋଡପତିରେ ଆପଣ ୨୫ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି । ହ୍ୱାଟସ ଅପରେ କିଛି ଏମିତି ଫୋନ କଲ ଆସିଥିଲା । ଆଉ ଆସିଥିଲା  ଭିଡିଓ ମେସେଜ । ଯେଉଁଥିରେ ବିଜେତାଙ୍କ ଫୋନ ନମ୍ବର ଘୋଷଣା କରୁଥିଲେ ଘୋଷିକା । କିନ୍ତୁ ଏହା ଥିଲା ସମ୍ପୁର୍ଣ୍ଣ ନକଲି ବା ଜାଲ୍ । ଅର୍ଥାତ ସାଇବର ଅପରାଧୀଙ୍କ ଏକ ସୁଚିନ୍ତିତ ଷଡଯନ୍ତ୍ର । ଠକେଇର ଏହି ଚାଲ ସେତେବେଳେ ଜଣା ପଡିଥିଲା ଯେତେବେଳେ ବ୍ୟାଙ୍କରେ ପହଂଚିଥିଲେ ଫୋନ କଲ ପାଇଥିବା ବାଙ୍କିର ଏହି ଯୁବତୀ ।

ଏବେ ଠକେଇ କାହାଣୀର ଟିକିଏ ଭିତରକୁ ଯିବା । ବାଙ୍କିର ଏହି ଯୁବତୀଙ୍କ ପାଖକୁ ଏକ ଫୋନକଲ ଆସିଥିଲା । ଏଥିରେ କୁହାଗଲା, କୌନ ବନେଗା କରୋଡ ପତିରୁ ଆମେ କହୁଛୁ । ଆପଣ ୨୫ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି । ଏହି ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ଫୋନ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୪ହଜାର୫୦୦ ଟଙ୍କା ଡିପୋଜିଟ କରିବାକୁ ପଡିବ । ତାଙ୍କ କଥାରେ ରାଜି ହୋଇ ଯୁବତୀ ଜଣଙ୍କ ଟଙ୍କା ସହିତ ପହଞ୍ଚିଯାଇଥିଲେ ବ୍ୟାଙ୍କରେ । ଆଉ ସେଠାରୁ ଯାହା ଶୁଣିଲେ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏକ ଫ୍ରଡ ବା ଜାଲ ଫୋନ କଲ ଥିଲା । କିଛି ସାଇବର ଅପରାଧୀ ଟଙ୍କା ଠକିନେବାକୁ ଉଦ୍ୟମ କରୁଥିଲେ ବୋଲି ବ୍ୟାଙ୍କରୁ ଜାଣିବାକୁ ପାଇଥିଲେ ଯୁବତୀ । ଆଉ ଏହାପରେ ଟଙ୍କା ଡିପୋଜିଟ କରିନଥିଲେ ।

ଏକ ବଡଧରଣର ଠକେଇରୁ ଏହି ଯୁବତୀ ଜଣଙ୍କ ବଞ୍ଚିଗଲେ ସତ । କିନ୍ତୁ ଆପଣ ସତର୍କ ରୁହନ୍ତୁ । କିଏ ଜାଣେ କାଲି ସକାଳେ ଆପଣ ବି ଲୋଭର ବଶବର୍ତି ହୋଇ ଏପରି ଠକେଇରେ ପଡିପାରନ୍ତି ।