ବିଜେପୁର ଗଡ ଜିତିବାକୁ କଂଗ୍ରେସର ବଡ ପ୍ରୟାସ ! ପ୍ରଣୟଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଗୋଟିଏ ମଞ୍ଚରେ ଏକାଠି ହେଲେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା

73

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ଆଜି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ଆସି ପଦମପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଣୟ । ପ୍ରାର୍ଥୀର୍ପତ୍ର ଦାଖଲ କରିବା ସହ ବିଜେଡି ଓ ବିଜେପି ଭଳି ପ୍ରଣୟ ମଧ୍ୟ ଶକ୍ତିପ୍ରଦର୍ଶନ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କୁ ପ୍ରଣୟଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏକାଠି ଦେଖିବାକୁ ମିଳିଥିଲା । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ସୁର ରାଉତରାୟ, ଜୟଦେବ ଜେନା, ବାପି ସର୍ଖେଲଙ୍କ ସମେତ ଅନେକ ରାଜ୍ୟ ସ୍ତରୀୟ ନେତାଙ୍କୁ ଦେଖିବାକୁ ମିଳିଥିଲା ।

bijepurପ୍ରଣୟଙ୍କ ନାମାଙ୍କନପତ୍ର ଦାଖଲ ସମୟରେ କଂଗ୍ରେସର ଅଧିକାଂଶ ରାଜ୍ୟସ୍ତରୀୟ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ଯାହା ଦଳୀୟ କର୍ମୀଙ୍କ ମନରେ ପୁଣିଥରେ ବିଜେପୁର ଗଡ ଜିତିବା ପାଇଁ ଉତ୍ସାହ ଭରି ଦେଇଛି । ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ବିଜେପୁରରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ପ୍ରଣୟ ନାମାଙ୍କନ ଭରିବା ସହ ରାଜ୍ୟ କଂଗ୍ରେସର ନେତୃବୃନ୍ଦଙ୍କ ମଧ୍ୟରେ ସର୍ମ୍ପକର ସେତୁ ବାନ୍ଧିବାରେ ସହାୟକ ହୋଇଛି । ପୂର୍ବରୁ ପ୍ରଣୟଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । କଂଗ୍ରେସର କିଛି ନେତୃବୃନ୍ଦ ରିପୁନାଥଙ୍କୁ ପ୍ରାର୍ଥୀ କରିବାକୁ ଜିଦ ଧରିଥିଲେ । ଶେଷରେ ବହୁ କାଣ୍ଟଝାଣ୍ଟ ପରେ ଦଳର ହାଇକମାଣ୍ଡ ପ୍ରଣୟଙ୍କ ନାଁରେ ମୋହର ମାରିଥିଲେ ।

ଏସବୁ ଭିତରେ ନାମାଙ୍କନ ଭରିବା ସହ ବିଜେପୁରରେ କଂଗ୍ରେସ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଣୟ । ପୂର୍ବରୁ ବିଜେଡି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଦେଖିବାକୁ ବାକି ରହିଲା କିଏ ଦେଖାଇବ ବିଜେପୁରରେ ଦମ ।