ମରୁଡିରୁ ରକ୍ଷା କରିପାରିବ ଶୀତ ଦିନର ‘କୁହୁଡି’। ଜାଣନ୍ତୁ କେମିତି ଲୋକଙ୍କ ପାଇଁ ଏହା ଉପଯୋଗୀ …

135

କନକ ବ୍ୟୁରୋ: ଭାରତର ବିଭିନ୍ନ ପ୍ରାନ୍ତରେ ଶୀତ ଲହରୀ ଜାରିରହିଛି । ଅନେକ ସ୍ଥାନରେ ଘନ କୁହୁଡି ଲୋକଙ୍କ ଚିନ୍ତା ବଢାଇଦେଇଛି । ବିଶେଷ କରି ଦିଲ୍ଲୀ-ଏନସିଆର ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସଡକରେ ଯାନବାହନ ଯିବା ଆସିବା ଠାରୁ ନେଇ ପାଦରେ ଚାଲିଯାଉଥିବା ଲୋକଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି ହେଉଛି । ତେବେ ଆପଣ କଣ ଜାଣିଛନ୍ତି ଆପଣ ଯେଉଁ କୁହୁଡିକୁ ଦୋଷ ଦେଉଛନ୍ତି ତାହା ଆମ ପାଇଁ ଭଗବାନଙ୍କ ବରଦାନ ସଦୃଶ । କିଛି ଦେଶ ଏହି କୁହୁଡି କାରଣରୁ ଚାଷ କରିଥାନ୍ତି । ଏହା କାରଣରୁ ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ୧ ହଜାର ଲିଟର ଯାଏ ପାଣି ମଧ୍ୟ ସଂଗ୍ରହ କରାଯାଇପାରୁଛି । ଏହି ଜ୍ଞାନକୌଶଳକୁ ଫଗ୍ ହାର୍ଭେଷ୍ଟିଙ୍ଗ କୁହାଯାଇଥାଏ । ଏହା ରେନ ହାର୍ଭେଷ୍ଟିଙ୍ଗ ଭଳି ପ୍ରକ୍ରିୟାରେ ହିଁ ହୋଇଥାଏ ।

କହୁଡି ଜରୁରୀ କାହିଁକି ହୋଇଥାଏ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଦରକାର ଏହା କେମିତି ତିଆରି ହୋଇଥାଏ । ପ୍ରଥମେ କହିରଖିବାକୁ ଚାହୁଁବୁ ଥଣ୍ଡା ପାଗରେ ବାୟୁରେ ଥିବା ଜଳୀୟ ଅଂଶ ପାଣିରେ ପରିଣତ ହୋଇଥାଏ । ଏହା ଆମକୁ କୁହୁଡି ଭାବେ ନଜର ଆସିଥାଏ । ଏଥିରେ ଯେତେବେଳେ ଧୂଆ ମିଶିଯାଏ ତେବେ ତାହା ସ୍ମଗରେ ପରିଣତ ହୋଇଥାଏ । ତେବେ କୁହୁଡିରେ ପଡୁଥିବା କାକର ବିନ୍ଦୁରୁ ଫଗ ହାର୍ଭେଷ୍ଟିଙ୍ଗ ଜରିଆରେ ପାଣି ବାହାର କରାଯାଇଥାଏ । ଏହାକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଇଥାଏ ।

ବାୟୁରେ ଥିବା ଜଳୀୟ ଅଂଶକୁ ପାଣିରେ ପରିବର୍ତ୍ତନ କରାଯିବା ପରେ ଏହାକୁ ସଂରକ୍ଷଣ କରିବା ଜରୁରୀ । ଏଥିପାଇଁ ବଡ ବଡ ଜାଲ ଲଗାଯାଇଥାଏ । ଏଥିରେ କାକର ପଡିବା ପରେ କୁହୁଡି ପାଣିରେ ପରିବର୍ତ୍ତିତ ହୋଇଥାଏ । ଯାହାକୁ ପାଇପ ସାହାର୍ଯ୍ୟରେ ଟାଙ୍କିରେ ଏକାଠି କରାଯାଇଥାଏ । ପରେ ସମୟ ଆସିବା ପରେ ଏହାକୁ ବିଭିନ୍ନ ସ୍ଥାନରେ ପ୍ରୟୋଗ କରାଯାଇଥାଏ । ବିଶେଷ କରି ପାହାଡିଆ ତଥା ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏହିଭଳି ଜ୍ଞାନକୌଶଳର ପ୍ରୟୋଗ କରାଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ସ୍ଥାନରୁ ଗୋଟିଏ ଦିନରେ ଏକ ହଜାର ଲିଟର ଯାଏ ପାଣି ବାହାର କରାଯାଇଥାଏ । ତେବେ ଏହା ଜାଲ ଲମ୍ବା ଏବଂ ସ୍ଥାନ ତଥା କୁହୁଡି ଉପରେ ନିର୍ଭର କରିଥାଏ ।