ଆଜି ଶ୍ରାବଣର ପ୍ରଥମ ସୋମବାର : ମହାଦେବଙ୍କୁ ଜଳ ଲାଗି କରିବାକୁ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ

227

କନକ ବ୍ୟୁରୋ : ଆଜି ଶ୍ରାବଣର ପ୍ରଥମ ସୋମବାର । ହଜାର ହଜାର ଭକ୍ତଙ୍କୁ ନେଇ ପୁରି ଉଠିବ ଏକାମ୍ର କ୍ଷେତ୍ର । ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି । କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚାବାରେ ଲାଗିଛନ୍ତି । ଏଥିପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ। ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା, ସାଢ଼େ ୩ଟାରେ ଆଳତି, ଅବକାଶ ନୀତି ପରେ ଭୋର ୪ଟା ସୁଦ୍ଧା ସାହାଣ ମେଳା ଦର୍ଶନ ବ୍ୟବସ୍ଥା ହୋଇଛି । କାଉଡ଼ିଆ ପାଣି ଢାଳିବା ପର୍ଯ୍ୟନ୍ତ ସାହାଣ ଦର୍ଶନ ହୋଇପାରିବ ।

ତେବେ କାଉଡ଼ିଆମାନେ ପହଂଚୁଥିବା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଉଠିଛି । ଶ୍ରଦ୍ଧାଳୁମାନେ ଭୋଲେବାବାଙ୍କ ଉଦ୍ଦେଶ୍ୟରେ ଗୀତ ଗାଇବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଦୁଇ ମାସ ଧରି ଲାଗି ରହିବ ଶ୍ରାବଣର ଉତ୍ସାହ । ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଥିବା ବେଳେ ସୁରୁଖୁରୁ ପରିଚାଳନା ପାଇଁ ବନ୍ଦୋବସ୍ତ କରାଯାଇଛି ।

କମିଶନରେଟ୍ ପୁଲିସ ପକ୍ଷରୁ କାଉଡିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ସହ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । କାଉଡ଼ିଆଙ୍କ ଯିବା ଆସିବା ବାଟରେ ୧୨ଟି ମୋବାଇଲ ପେଟ୍ରୋଲିଂ ଟିମ୍ ଓ ୧୩ଟି ପିସିଆର ରହିବ । ଛକ ଗୁଡ଼ିକରେ ଫାଷ୍ଟ ଏଡ ଓ ମୋବାଇଲ ମେଡିକାଲ ୟୁନିଟ ରହିବ । ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧିନରେ ୫ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୫ଜଣ ଏସିପି, ୮ଜଣ ଇନସପେକ୍ଟର, ୩୯ଜଣ ସବ ଇନ୍ସପେକ୍ଟର ଓ ଏଏସଆଇ ନିୟୋଜିତ ହେବେ ।